ଅପ୍ରେଲ୍ ୫ରୁ ବିଶାଳ ଆର୍ମି ନିଯୁକ୍ତି ମେଳା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ଅପ୍ରେଲ୍ ୫ ତାରିଖରୁ ୧୬ ତାରିଖ ପର୍ୟ୍ୟନ୍ତ ପାରାଦୀପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମ୍‌ଠାରେ ବିଶାଳ ଆର୍ମି ନିଯୁକ୍ତି ମେଳା ଆୟୋଜିତ ହେବ । ଏଥିରେ ୧୦ଟି ଜିଲ୍ଲା ଯଥା- କଟକ, ମୟୂରଭଞ୍ଜ, କେନ୍ଦ୍ରାପଡା, ଜଗତସିଂହପୁର, ନୟାଗଡ, ବାଲେଶ୍ୱର, ଖୋର୍ଦ୍ଧା, ଯାଜପୁର, ପୁରୀ ଓ ଭଦ୍ରକ ଜିଲ୍ଲାର ଇଛୁକ ପ୍ରାର୍ଥୀମାନେ ଅଂଶଗ୍ରହଣ କରିପାରିବେ ।

ସୂଚନାଯୋଗ୍ୟ ଯେ, ଆର୍ମି ପକ୍ଷରୁ ୨୦୧୫ ମସିହା ଅକ୍ଟୋବର ୦୧ ଠାରୁ ଉନ୍ମୁକ୍ତ ନିଯୁକ୍ତି ମେଳା ବ୍ୟବସ୍ଥା ପରିବର୍ତିତ ହୋଇ ଅନ୍‌ଲାଇନ୍ ପଞ୍ଜିକରଣ ଓ ଆବେଦନପତ୍ର ଦାଖଲ ବ୍ୟବସ୍ଥା ଅନୁସୃତ ହେଉଛି । ସେଥିପାଇଁ ଏହି ନିଯୁକ୍ତି ମେଳାରେ ଭାଗନେବାକୁ ହେଲେ ପ୍ରାର୍ଥୀମାନେ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଜଏନ୍ ଇଣ୍ଡିଆନ୍ ଆର୍ମି ଡଟ୍ ଏନଆଇସି ଡଟ୍ ଇନ୍ ୱେବ୍‌ସାଇଟ୍‌ରେ ନିଜର ନାମ ପ୍ରଥମେ ପଞ୍ଜିକୃତ କରିବେ । ଫେବୃଆରୀ ୮ତାରିଖରୁ ମାର୍ଚ୍ଚ ୨୩ ତାରିଖ ମଧ୍ୟରେ ଏହି ପଞ୍ଜିକରଣ ପ୍ରକ୍ରିୟା ଚାଲୁ ରହିବ ।

ଏହି ଆର୍ମି ନିଯୁକ୍ତି ମେଳାରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ହେବ । ସମସ୍ତ ପ୍ରକ୍ରିୟା ସ୍ୱଂୟସମ୍ପୂର୍ଣ୍ଣ ହେବ । ଶାରୀରିକ, ଲିଖିତ ଓ ମେଡିକାଲ ପରୀକ୍ଷାରେ କୌଣସି ମଧ୍ୟସ୍ଥି ସହାୟତା କରିପାରିବେ ନାହିଁ । ତେଣୁ ଦଲାଲ, ଟାଉଟର ବା ମଧ୍ୟସ୍ଥିଙ୍କ ପ୍ରଲୋଭନରେ ନ ପଡିବା ପାଇଁ ନିର୍ଦ୍ଦେଶକ (ନିଯୁକ୍ତି) କର୍ଣ୍ଣେଲ୍ ଆଶିଷ୍ ମୋହନ ତ୍ରିଖା ସୂଚନା ଦେଇଛନ୍ତି । ଅଧିକରୁ ଅଧିକ ଓଡ଼ିଆ ପିଲାମାନେ ଆର୍ମିରେ ନିଯୁକ୍ତି ପାଇବା ପାଇଁ ଏହି ବିଶାଳ ନିଯୁକ୍ତି ମେଳାର ଉଦ୍ଦେଶ୍ୟ ବୋଲି କର୍ଣ୍ଣେଲ୍ ତ୍ରିଖା କହିଛନ୍ତି ।