କେନ୍ଦୁଝର, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲାରେ ଜାଲ ବିଇଡି ସାର୍ଟିଫିକେଟ ଦେଇ ୮ଟି ବ୍ଲକରେ ୧୨ଜଣ ଶିକ୍ଷକ ନିଯୁକ୍ତି ପାଇଥିବା ଜଣାପଡ଼ିଛି। ସେମାନଙ୍କ ବିରୋଧରେ ଥାନାରେ ଏତଲା ଦେବାପାଇଁ କେନ୍ଦୁଝର ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନର ପ୍ରକଳ୍ପ ନିର୍ଦ୍ଦେଶକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ, ଯୋଡ଼ା ବ୍ଲକର କିରିବୁରୁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ, ସାହାରପଡ଼ା ବ୍ଲକ କୁଣ୍ଡଳା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ, ସାହାରପଡ଼ା ବ୍ଲକର ବାଲିତୋଟା ୟୁଜିୟୁପି ସ୍କୁଲର ଜଣେ ଶିକ୍ଷକ ଆସାମ ଗୌହାଟି ବିଶ୍ୱବିଦ୍ୟାଳୟର ଜାଲ ବିଇଡି ସାର୍ଟିଫିକେଟ ଦେଇ ଚାକିରି କରିଥିବା ସୂଚନା ମିଳିଛି। ସେହିପରି ହରିଚନ୍ଦନପୁର ବ୍ଲକ ଧରୋଡ଼ିଆମ୍ବ ୟୁଜିୟୁପି ସ୍କୁଲର ଜଣେ ଶିକ୍ଷୟିତ୍ରୀ,ବାଂଶପାଳ ବ୍ଲକ କୁଶକଳା ୟୁଜିୟୁପି ସ୍କୁଲର ଜଣେ ଶିକ୍ଷକ ଓ ଅଞ୍ଜର ୟୁଜିୟୁପି ସ୍କୁଲର ଜଣେ ଶିକ୍ଷୟିତ୍ରୀ, ଘସିପୁରା ବ୍ଲକ ବାନରସେନା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ, ହରିଚନ୍ଦନପୁର ବ୍ଲକ ଜାମୁଯୋଡ଼ି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ କୁରୁକ୍ଷେତ୍ର ୟୁନିଭରସିଟିରୁ ଜାଲ ବିଇଡି ସାର୍ଟିଫିକେଟ ଦେଇ ଚାକିରି କରିଥିବା ସୂଚନା ମିଳିଛି।
ଅପରପକ୍ଷରେ ହାଟଡିହି ବ୍ଲକର ସୋସୋ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ଓ ମଲ୍ଲିପଶି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ, ଝୁମ୍ପୁରା ବ୍ଲକ ବ୍ରାହ୍ମଣଞ୍ଜିରି ୟୁଜିୟୁପି ସ୍କୁଲର ଜଣେ ଶିକ୍ଷକ, ପାଟଣା ବ୍ଲକ ନିଶ୍ଚିନ୍ତପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ଝାନସିର ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟରୁ ଜାଲ ବିଇଡି ସାର୍ଟିଫିକେଟ ଆଣି ଶିକ୍ଷକ ଚାକିରି କରିଥିବା ଜଣାପଡ଼ିଛି। ଉପରୋକ୍ତ ସମସ୍ତ ୧୨ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରାୟ ୩ବର୍ଷ ହେଲା ଜିଲ୍ଲାରେ ଜାଲ ବିଇଡି ସାର୍ଟିଫିକେଟ ଦେଇ ସରକାରଙ୍କଠାରୁ ଦରମା ନେଉଛନ୍ତି। ତଦନ୍ତ ପରେ ଏମାନେ ସମସ୍ତେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଜଣାପଡ଼ିଥିବାବେଳେ ଏମାନଙ୍କ ବିରୋଧରେ ସମ୍ପୃକ୍ତ ବ୍ଲକର ଶିକ୍ଷା ଅଧିକାରୀମାନେ ଥାନାରେ ଏତଲା ଦାଖଲ କରିଥିବା ସମଗ୍ର ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।