ଓଡ଼ିଶାରେ କାମ ମିଳିବ, ବାହାରକୁ ଯାଅନି: ଶ୍ରମ ମନ୍ତ୍ରୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଦେଶବ୍ୟାପୀ କରୋନାର ଦ୍ୱିତୀୟ ଲହର ବ୍ୟାପିଥିବା ବେଳେ ଓଡ଼ିଶାରେ ମଧ୍ୟ ପ୍ରଭାବ ଅନୁଭୂତ ହୋଇଛି। ଏଣୁ ରାଜ୍ୟରେ ଲକଡାଉନ, ସଟଡାଉନ ଇତ୍ୟାଦି ପୁଣିଥରେ ଫେରିଛି। ଇତିମଧ୍ୟରେ ଶିଳ୍ପସଂସ୍ଥା ଏବଂ ଅନ୍ୟାନ୍ୟ ନିର୍ମାଣ ଭିତ୍ତିକ ରୋଜଗାର ବନ୍ଦ ହୋଇଯିବାର ଆଶଙ୍କାରେ ରହିଛନ୍ତି ଓଡ଼ିଶାରେ ଥିବା ପ୍ରବାସୀ ଶ୍ରମିକ। ଏ ପରିସ୍ଥିତିରେ ସେମାନଙ୍କୁ ଅଭୟବାଣୀ ପ୍ରଦାନ କରିଛନ୍ତି ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ। ଓଡ଼ିଶାରେ କାମର ଅଭାବ ରହିବନି, ତେଣି କେହି ରାଜ୍ୟ ଛାଡ଼ି ଯାଅନାହିଁ ବୋଲି ଶ୍ରୀ ସିଂ ପରାମର୍ଶ ଦେଇଛନ୍ତି। ରାଜ୍ୟର ବିଭିନ୍ନ କଳକାରଖାନା ଏବଂ ନିର୍ମାଣ ସଂସ୍ଥାରେ ନିୟୋଜିତ ଥିବା ପ୍ରବାସୀ ଶ୍ରମିକଙ୍କ କଥା କହିବା ବେଳେ ବାହାର ରାଜ୍ୟରେ ଥିବା ଓଡ଼ିଆ ଶ୍ରମିକଙ୍କ କଥା ମଧ୍ୟ ମନ୍ତ୍ରୀ ଉଠାଇଛନ୍ତି। ସେ କହିଛନ୍ତି ଯେ ବାହାର ରାଜ୍ୟର ଲୋକେ କାର୍ଯ୍ୟ ଅନ୍ୱେଷଣରେ ଓଡ଼ିଶାକୁ ଆସୁଛନ୍ତି। ହେଲେ ଆମ ଲୋକେ ରୋଜଗାର ଆଶାରେ ବାହାର ରାଜ୍ୟକୁ ଚାଲିଯାଉଛନ୍ତି। ଯେଉଁଥିପାଇଁ ବର୍ତ୍ତମାନର ପରିସ୍ଥିତି ଉପୁଜିଲେ ସେମାନଙ୍କ ଫେରିବାରେ ସମସ୍ୟା ହେଉଛି। ଜୀବନ ରହିଲେ, ବହୁତ ରୋଜଗାର କରିବେ। ସରକାର ଦଲାଲଙ୍କ ଉପରେ ନଜର ରଖିଛନ୍ତି । କିନ୍ତୁ ଲୋକେ ନିଜେ ଲୁଚି ନପଳାନ୍ତୁ। ଓଡ଼ିଶାରେ ରହି ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ଓ ଏଠାରେ ହିଁ କାମ କରନ୍ତୁ ବୋଲି ଶ୍ରମ ମନ୍ତ୍ରୀ କହିଛନ୍ତି।