ମହାନଦୀରୁ ଉଦ୍ଧାର ହୋଇଥିଲେ ସୋନୀ: କନ୍ୟାଦାନ କରିବେ ବିଧାୟକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ମହାନଦୀ ପାଣିରେ ଛତିଶଗଡ଼ ଚନ୍ଦରପୁରରୁ ୨୦୧୬ ମସିହା ସେପ୍ଟେମ୍ବର ୧୩ ତାରିଖରେ ଭାସି ଆସିଥିବା ସୋନୀ ଯାଦବଙ୍କ କନ୍ୟାଦାନ ବ୍ରଜାରାଜନଗର ବିଧାୟକ କିଶୋର କୁମାର ମହାନ୍ତି କରିବେ। ଏନେଇ ବିଧାୟକ ଶ୍ରୀ ମହାନ୍ତି ଆଜି ସୂଚନା ଦେଇଛନ୍ତି। ସୋନୀର କନ୍ୟାଦାନ କରିବା ପାଇଁ ସେ ଏବଂ ତାଙ୍କ ଧର୍ମପତ୍ନୀ ୨୧ ତାରିଖ କୁସମେଲ ଗ୍ରାମକୁ ଯିବେ ବୋଲି ବିଧାୟକ କହିଛନ୍ତି।


ପ୍ରକାଶଯୋଗ୍ୟ, ସୋନୀ ଯାଦବ ୨୦୧୬ ମସିହାରେ ଚନ୍ଦପୁରରେ ମହାନଦୀ ପାଣିରେ ଖସି ପଡ଼ିଥିଲେ। ପାଣିରେ ଦୀର୍ଘ ୧୨ ଘଣ୍ଟା ଭାସି ୮୦ କିଲୋମିଟର ଦୂର ଅତିକ୍ରମ କରିବା ପରେ କୁସମେଲ ଗ୍ରାମର ଧୀବର ସନ୍ୟାସୀ କାଲୋ ତାଙ୍କୁ ଉଦ୍ଧାର କରିଥିଲେ। ପରେ ପତ୍ନୀ ଅହଲ୍ୟାଙ୍କ ସହ ମିଶି ସୋନୀର ଚିକିତ୍ସା କରାଇଥିଲେ। ସୋନୀ ସୁସ୍ଥ ହେବା ପରେ ସେ ଛତିଶଗଡ଼ ସାରଙ୍ଗଡ଼ ଥାନା ଜେବାରା ଗ୍ରାମର ବୋଲି କହିଥିଲେ। ସେ ଛୋଟ ଥିବାବେଳେ ମା’ଙ୍କୁ ହରାଇ ଥିବାବେଳେ ବାପା ଜଣେ ମାନସିକ ରୋଗୀ। ଫଳରେ ସୋନୀ ଛୋଟବେଳୁ ନିଜ ଅଜା ଓ ମାଉସୀଙ୍କ ପାଖରେ ରହି କମଲାନଗରରେ ଜଣକ ଘରେ କାମ କରୁଥିଲେ। ସେଠାରୁ ୨୦୧୬ ମସିହା ସେପ୍ଟମ୍ବର ୧୩ ସୋନୀ ଚନ୍ଦ୍ରାସିନୀ ଦର୍ଶନ ପାଇଁ ଆସି ମହାନଦୀ ପାଖରେ ବୁଲୁଥିବାବେଳେ ନଦୀରେ ତାଙ୍କର ଗୋଡ଼ ଖସି ଯାଇଥିଲା। ତେବେ ଧୀବର ସନ୍ୟାସୀ ତାଙ୍କୁ ଉଦ୍ଧାର କରି ଝିଅ ରୂପେ ଗ୍ରହଣ କରିଥିଲେ। ଏବେ ସୋନୀଙ୍କ ବାହାଘର ପାଇଁ ସ୍ଥିର ହେବାପରେ କୁସମେଲ ଗ୍ରାମରେ ସମସ୍ତେ ବାହାଘର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ବିଧାୟକ କନ୍ୟାଦାନ କରିବା ପାଇଁ ସ୍ୱଇଚ୍ଛାରେ ଆଗେଇ ଆସିଛନ୍ତି।