କଟକଣା ମଧ୍ୟରେ ଆରମ୍ଭ ହେଲା ପାଠପଢ଼ା

ଦୀର୍ଘ ୯ ମାସପରେ ଖୋଲିଲା ସ୍କୁଲ, କଲେଜ

ଝାରସୁଗୁଡ଼ା, ଏନ୍ଏନ୍ଏସ୍: କରୋନା ପାଇଁ ବନ୍ଦ ରହିଥିବା ଝାରସୁଗୁଡ଼ା ଜିଲ୍ଲାରେ ସମସ୍ତ ହାଇସ୍କୁଲ ଓ କଲେଜଗୁଡ଼ିକ ଦୀର୍ଘ ୯ ମାସ ପରେ ଆଜି ଖୋଲିଛି। ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା କୋଭିଡ଼ ଗାଇଡଲାଇନ ଅନୁସାରେ ଆଜି ଜିଲ୍ଲାର ସମସ୍ତ ସ୍କୁଲରେ ପାଠ ପଢ଼ା ଆରମ୍ଭ ହୋଇଛି। ସାମାଜିକ ଦୂରତା, ମାସ୍କ ପରିଧାନ ଓ ସାନିଟାଇଜେସନକୁ ଗୁରୁତ୍ୱ ଦିଆଯାଇଛି। ଗୋଟିଏ ଶ୍ରେଣୀରେ ୨୦ ରୁ ୨୫ ଜଣ ଛାତ୍ର ଛାତ୍ରୀ ବସିବା ସହିତ ସେମାନଙ୍କ ସିଟ୍ ୬ ଫୁଟ ଦୂରରେ ରଖାଯାଇଛି। ସେହିପରି ପ୍ରତ୍ୟେକ ଡେସ୍କରେ ରୋଲ ନମ୍ବର ଲେଖାଯାଇ ନିଜ ନିଜ ରୋଲ ନମ୍ବର ଅନୁସାରେ ଛାତ୍ରଛାତ୍ରୀଙ୍କୁ ବସାଯାଇଛି। ଛାତ୍ରଛାତ୍ରୀମାନେ ନିଜନିଜ ଅଭିଭାବକମାନଙ୍କ ଠାରୁ ଅନୁମତିପତ୍ର ନେଇ ସ୍କୁଲ କଲେଜକୁ ଆସିଥିବାବେଳେ ସେମାନଙ୍କୁ କରୋନା କବଳରୁ ସୁସ୍ଥ ରଖି କିପରି ଆଗାମୀ ଶହେ ଦିନରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରାଯାଇ ପାରିବ ସେଥିପ୍ରତି ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଶେଷ ଧ୍ୟାନଦେବେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ପଣ୍ଡା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ସ୍କୁଲଗୁଡ଼ିକ କୋଭିଡ଼ ନିୟମ

ପାଳନ କରୁଛନ୍ତି କି ନାହିଁ ତାହା ତଦାରଖ କରିବାକୁ ଜିଲ୍ଲାସ୍ତରରେ ଗୋଟିଏ ଓ ସମସ୍ତ ବ୍ଲକରେ ଗୋଟିଏ ଲେଖାଏଁ ମନିଟିରିଂ ଦଳ କରାଯାଇଛି। ଏହିଦଳ କୌଣସି ସ୍କୁଲକୁ ଅତିର୍କିତ ଭାବରେ ଚଢ଼ଉ କରି ସ୍କୁଲଗୁଡିକ କରୋନା ଗାଇଡ ଲାଇନ ପାଳନ କରୁଛନ୍ତି କି ନାହିଁ ତାହା ତଦାରଖ କରିବ।