ଜମି ଚିହ୍ନଟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଜିଲ୍ଲା ପ୍ରସାସନକୁ ନିର୍ଦ୍ଦେଶ
ଝାରସୁଗୁଡା,ଏନ୍ଏନ୍ଏସ୍ : ଝାରସୁଗୁଡାକୁ ଏକ ଆଧୁନିକ ସହର ରୂପେ ବିକଶିତ କରିବା ପାଇଁ ସରକାରୀ ସ୍ତରରେ ପ୍ରଚେଷ୍ଟା ଆରମ୍ଭ ହୋଇଛି । ଆଗାମୀ ୪୦ ରୁ ୫୦ ବର୍ଷକୁ ଆଖି ଆଗରେ ରଖି ସହରର ସୀମା ସଂଲଗ୍ନ ଅଂଚଳରେ ନୂତନ ଟାଉନସିପ ନିର୍ମାଣ କରିବା, ବର୍ତମାନ ଥିବା ସହର ମଧ୍ୟରେ ଆବାସିକ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ସୃଷ୍ଟି କରିବା ଏବଂ ଝାରସୁଗୁଡାକୁ ଏକ ଆଧୁନିକ ସହରାଂଚଳ ଓ ଇଣ୍ଡଷ୍ଟ୍ରିଆଲ ଭାବରେ ବିକଶିତ କରାଯିବ।
ଏଥିପାଇଁ ମଙ୍ଗଳବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ସହର ଓ ଗୃହ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି ମାଥିଭାଥାନନ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଟାଉନ ପ୍ଲାନିଂ ନିର୍ଦ୍ଦେଶକ ଶୁଭେନ୍ଦୁ ମିଶ୍ର, ଜିଲ୍ଲାପାଳ ସରୋଜ କୁମାର ସାମଲ ପ୍ରମୁଖଙ୍କ ସହ ଜିଲ୍ଲା ଓ ରାଜ୍ୟସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହା ସହ ମନ୍ତ୍ରୀ ଶ୍ରୀ ଦାସ ଓ ମୁଖ୍ୟ ଶାସନ ସଚିବ ଭିଡିଓ କନଫରେନଂସି ମାଧ୍ୟମରେ ଝାରସୁଗୁଡା ଅତିରିକ୍ତ ଜିଲ୍ଲାପାଳ, ଡିଭିଜନନାଲ ଫରେଷ୍ଟ ଅଫିସର ଓ ଅନ୍ୟ ପଦସ୍ଥ ଅଧିକାରୀଙ୍କ ସହ ପ୍ରସ୍ତାବିତ ବୃହତ ଝାରସୁଗୁଡା ସମ୍ପର୍କରେ ଆଲୋଚନା କରିଥିଲେ।
ପ୍ରକାଶ ଯୋଗ୍ୟ ଯେ, ବର୍ତମାନ ଝାରସୁଗୁଡାରେ କ୍ୟାନସର ଓ ହାର୍ଟ ହସ୍ପିଟାଲ, ଡାଇଗ୍ନୋଷ୍ଟିକ ସେଂଟର ଓ ଷ୍ଟାଡିଅମ ପ୍ରତିଷ୍ଠା ହେବାକୁ ଯାଉଛି। ଅନ୍ୟ ପକ୍ଷରେ ବେଦାନତ, ଭୁଷଣ, ଆଦିତ୍ୟ ବିର୍ଲା ଭଳି ଶିଳ୍ପ ସଂସ୍ଥା ରହିଥିବା ବେଳେ ଓପିଜିସି ପରି ବୃହତ ବିଦ୍ୟୁତ ଉତ୍ପାଦନ ସଂସ୍ଥା ରହିଛି। ଏହାସହ ଏଠାରେ ବିମାନ ବନ୍ଦର କାର୍ଯକ୍ଷମ ହୋଇଛି। ଫଳରେ ଝାରସୁଗୁଡା ଏକ କ୍ରମବର୍ଦ୍ଦିଷ୍ଣୁ ସହରରେ ପରିଣତ ହୋଇଛି। ଏହାସହ ବେଲପାହାଡ, ବ୍ରଜରାଜନଗର ଓ ସୁନ୍ଦରଗଡ ମଧ୍ୟ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ନିର୍ମାଣ ଜାରି ରହିଛି। ସହର ମଧ୍ୟରେ ଥିବା ସରକାରୀ ଜମି ଚିହ୍ନଟକରି ତାର ଉନ୍ନତ କରିବା ସହ ବାହାରେ ନୂଆ ଟାଉନ ସିପ ପ୍ରତିଷ୍ଠ କରାଯିବ। ସେହିପରି ଲହଣ୍ଡାବୁଡ ଏଚ କଂଟାପାଲି, ବହେରେପାଟ ମଧ୍ୟରେ ପ୍ରାୟ ୧୫ଶହ ଏକର ସରକାରୀ ଜାଗା ଥିବାବେଳେ ଏହି ସ୍ଥାନରେ ଭବିଷ୍ୟତରେ ସହରାଂଚଳ ପରିସୀମା ବୃଦ୍ଧି ପାଇବାର ସମ୍ଭାବନା ରହିଛି।