କରୋନା ମୁକାବିଲା ପାଇଁ ୭ଟି ଦାବି ଉପସ୍ଥାପନ କଲେ ନବଦାସ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ସହ ଆଜି ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ଶ୍ରୀ ଦାସ ଏହି ଆଲୋଚନାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କୋଭିଡ ପରିଚାଳନାରେ ଓଡିଶା ସଫଳ ହୋଇପାରିଛି। ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ଅନ୍ୟାନ୍ୟ ଉଚ୍ଚ ପଦସ୍ଥ ଅଧିକାରୀ, ଡାକ୍ତର, ମେଡିକାଲ ଷ୍ଟାଫଙ୍କ ସହାୟତାରେ କରୋନାରୁ ରାଜ୍ୟବାସୀଙ୍କୁ ସୁରକ୍ଷିତ କରିବା ଲାଗି ଜୋରଦାର ପ୍ରୟାସ ଜାରି ରହିଛି। ଏହି ପ୍ରାୟସକୁ ସଫଳ ରୂପାୟନ ପାଇଁ କେନ୍ଦ୍ର ପକ୍ଷରୁ କୋଭିସିଲ୍ଡ ଭ୍ୟାକ୍ସିନ ଓଡିଶାକୁ ଆବଶ୍ୟକତା ମୁତାବକ ଶୀଘ୍ର ଯୋଗାଇ ଦିଆଯାଉ। କାରଣ ରାଜ୍ୟରେ ଏବେ ୨୨ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ନେବା ପାଇଁ ଅପେକ୍ଷା କରିଛନ୍ତି। ସେହିପରି ଓଡିଶାକୁ ବି ଟାଇପ୍ ସିଲିଣ୍ଡର ୧୫ବି ହଜାର ଓ ଡି ଟାଇପ ସିଲିଣ୍ଡର ୧୫ ହଜାର ମୋଟ୍ ୩୦ ହଜାର ସିଲିଣ୍ଡର ଯୋଗାଇ ଦିଆଯାଉ। ୫ଶହଟି ଭେଣ୍ଟିଲେଟରସହ ବହୁ ସଂଖ୍ୟାରେ ରାପିଡ ଆଣ୍ଟିଜେନ୍ କିଟ ମଧ୍ୟ ଯୋଗାଇ ଦିଆଯାଉ। ସେହିପରି ୫ ଲକ୍ଷ ପିପିଇ କିଟ୍, ୧୦ ଲକ୍ଷ ଗ୍ଲୋବ୍ସ, ୧୦ ଲକ୍ଷ ଏନ୍ ୯୫ ମାସ୍କ ଯୋଗାଇ ଦେବାସହ କୋଭିଡର ପୁଙ୍ଖାନୁପୁଙ୍ଖ ସୂଚନା ପାଇଁ ନେସନାଲ ଟାକ୍ସ ଫୋର୍ସରେ ୨୪ ଘଣ୍ଟା କାର୍ଯ୍ୟକ୍ଷମ ଥିବା ହେଲ୍ପଲାଇନ କରାଯାଉ ବୋଲି ଶ୍ରୀ ଦାସ କହିଛନ୍ତି। ଶ୍ରୀ ଦାସ ଆହୁରି ମଧ୍ୟ କହିଥିଲେ ଯେ, ୨୫ ଲକ୍ଷ କୋଭିସିଲ୍ଡ ଟିକା ରାଜ୍ୟକୁ ଯୋଗାଇବା ପାଇଁ ସେ ୨ ମାସ ମଧ୍ୟରେ ୨ ଥର ପତ୍ର ଲେଖି ସାରିଲେଣି। ତେଣୁ ଶୀଘ୍ର ଏହାକୁ ଯୋଗାଇଦେଲେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡିଶାରେ ନିଶ୍ଚିତ ଭାବରେ କରୋନାକୁ ନିୟନ୍ତ୍ରଣ କରାଯାଇ ପାରିବ।

ସେହିପରି ଓଡିଶାରେ କୋରନାର ସ୍ଥିତି ସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ଜାତୀୟସ୍ତରରେ କୋରନା ମୃତ୍ୟୁ ହାର ୧.୦୮ ପ୍ରତିଶତ ରହିଥିବାବେଳେ ଓଡିଶାରେ ୦.୩୯ ରହିଛି। ରାଜ୍ୟରେ ସୁସ୍ଥ ହାର ୮୨.୨୩ ରହିଛି। ଓଡିଶାରେ ପ୍ରତିଦିନ ୫୨.୯ ଏମଟି ଅମ୍ଲଜାନ ବ୍ୟବହାର କରାଯାଥିବାବେଳେ ୧୫୫.୫୧ ଏମଟି ଉତ୍ପାଦନ କରାଯାଉଛି। ଏହାସହ କୋଭିଡ ଚିକିତ୍ସା ପାଇଁ ଆବଶ୍ୟକ ଔଷଧ ରେମଡିଭିସିର, ଫାଭିପିରାଭିର, ଆଇସିୟୁ, ଭେଂଟିଲେଟର ଓ ଜେନେରାଲ ବେଡ ରାଜ୍ୟରେ ମହଜୁଦ ଥିବା ଶ୍ରୀ ଦାସ ପ୍ରକାଶ କରିଛନ୍ତି।