ଏସପିଙ୍କ ନେତୃତ୍ୱରେ କଡ଼ାକଡି ଯାଞ୍ଚ , ୧୭ଟି ସ୍କ୍ୱାଡ୍ ଗଠିତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଆଜି ପୁଣି ୩୧ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ ପାର ହୋଇଛି। ଜିଲ୍ଲା ପ୍ରଶାସନରୁ ସୂଚନା ଅନୁଯାୟୀ, ଏବେ ଜିଲ୍ଲାରେ ମୋଟ୍ ୧୬୬ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ପ୍ରଶାସନ ମଧ୍ୟ କରୋନା ସଂକ୍ରମଣକୁ ଆୟତ କରିବା ପାଇଁ ୧୬ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିବାସହ କରୋନା କଟକଣା ନିୟମକୁ କଡ଼ାକଡ଼ି କରିଛି। ଜନଗହଲିକୁ ବନ୍ଦ କରିବାସହ ବାହାଘର, ସାମାଜିକ କାର୍ଯ୍ୟକ୍ରମ, ତଥା ଧାର୍ମିକ କାର୍ଯ୍ୟକ୍ରମଗୁଡିକ ପ୍ରଶାସନର ଅନୁମତି ନେଇ ଅଳ୍ପ ଲୋକଙ୍କ ମଧ୍ୟରେ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ସେହିପରି ଏସ୍ପି ବିକାଶ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ଛକରେ ପୁଲିସ ଚେକିଂ କରିବାସହ ମାସ୍କ, ସାମାଜିକ ଦୂରତା ଆଦି ଯାଞ୍ଚ କରାଯାଉଛି। କରୋନା ନିୟମ ଉଲ୍ଲଙ୍ଘନ କରୁଥିବା ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପ୍ରଶାସନ ପକ୍ଷରୁ ୧୭ଟି ସ୍କ୍ୱାଡ୍ ଗଠନ କରାଯାଇଛି। ଏହି  ସ୍କ୍ୱାଡ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି କୋରନା ନିୟମ ଉଲ୍ଲଙ୍ଘନ କରୁଥିବା ଅନୁଷ୍ଠାନ, ଦୋକାନୀ, ତଥା ବ୍ୟବସାୟିକ ପ୍ରତିଷ୍ଠାନରୁ ଫାଇନ ଆଦାୟ କରୁଛି।