ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ କିରାରମା ମହିମା ଆଶ୍ରମ ପରିସରରେ ଥିବା କୂଅରୁ ନିଖୋଜ ବାବାଙ୍କ ମୃତଦେହ ଶୁକ୍ରବାର ପୁଲସ ଉଦ୍ଧାର କରିଛି। ମୃତ ବାବାଙ୍କ ନାମ ଚନ୍ଦ୍ରମଣି ଦାସ(୯୦) ବୋଲି ଜଣାପଡିଛି। ମୃତଦେହ ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇବାହ ବନହରପାଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପ୍ରକାଶଯୋଗ୍ୟ ଯେ, ଗତ ୧୯୯୯ ମସିହାରୁ ବାବା ଚନ୍ଦ୍ରମଣି କିରାରମା ଗ୍ରାମ ନିକଟରେ ଏହି ମହିମା ଆଶ୍ରମରେ ରହୁଥିଲେ। ତେବେ ଗତ ୧ ସପ୍ତାହ ହେଲା ବାବା ଆଶ୍ରମରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ। ଆଶ୍ରମ ଖୋଲା ରହିଥିବା ଓ ବାବାଙ୍କ କଠଉ କୂଅ ମୂଳରେ ପଡ଼ିଥିବା ଦେଖି ଭକ୍ତମାନେ ବନ୍ଧବାହାଲ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ। ଶୁକ୍ରବାର ସକାଳୁ ବନହରପାଲି ଥାନା ଆଇଆଇସି ପ୍ରଶାନ୍ତ ମେହେର, ବନ୍ଧବାହାଲ ଫାଣ୍ଡି ଅଧିକାରୀ ଅଶୋକ ଦାସ ଓ କେତେକ ଶ୍ରଦ୍ଧାଳୁ ଆଶ୍ରମରେ ପହଞ୍ଚି ଖୋଜଖୋଜି କରିଥିଲେ। ପରେ ପୁଲିସ ବାବାଙ୍କ ମୃତଦେହ କୂଅରେ ଭସୁଥିବାଦେଖି ଲଖନପୁର ଅଗ୍ନିଶମ ବାହିନୀ ସାହାଯ୍ୟରେ ମୃତଦେହକୁ ଉଦ୍ଧାର କରିଥିଲା।