ଝାରସୁଗୁଡା,ଏନ୍ଏନ୍ଏସ୍ : ରକ୍ତ ହୀନତା ଯୋଗୁଁ ମା’ର ମୃତ୍ୟୁପରେ ବେସାହାରା ହୋଇ ପଡିଥିବା ଚାରି ଜଣ ଶିଶୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆଜି ଝାରସୁଗୁଡା ଚାଇଲ୍ଡ ଲାଇନ ପକ୍ଷରୁ ଉଦ୍ଧାର କରାଯାଇଛି। ଉଦ୍ଧାର କରାଯାଇଥିବା ଶିଶୁମାନଙ୍କ ମଧ୍ୟରେ ଏକ ଦେଢ ମାସର ଶିଶୁ କନ୍ୟା ଥିବାବେଳେ ଅନ୍ୟମାନଙ୍କୁ ୪, ୭ ଓ ୯ ବର୍ଷ ହେଉଛି। ଶିଶୁମାନଙ୍କୁ ଚାଇଲ୍ଡ ଲାଇନ ଉଦ୍ଧାର କରି ଚିକିତ୍ସା କରାଇବା ସହ ଶିଶୁମଙ୍ଗଳ କମିଟିରେ ଉପସ୍ଥାପନ କରିଥିଲା। ଶିଶୁ ମଙ୍ଗଳ କମିଟିର ନିର୍ଦ୍ଦେଶ ଅନୁସାରେ ଦେଢ ମାସର ଶିଶୁକୁ ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ବ୍ରଜରାଜନଗର ଏବଂ ଅନ୍ୟ ଶିଶୁମାନଙ୍କୁ ବେଲାପାହାଡ ଶିଶୁ କଲ୍ୟାଣ ଅନୁଷ୍ଠାନରେ ଥଇଥାନ କରାଯାଇଛି ବୋଲି ଚାଇଲ୍ଡ ଲାଇନ ସଂଯୋଜକ ଆଶିଷ କୁମାର ପଣ୍ଡା କହିଛନ୍ତି।
ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ବଲ୍ଲିଆ ଜିଲ୍ଲାର ସୁନୀଲ ପାଣ୍ଡେ ପ୍ରାୟ ୨ ବର୍ଷରୁ ଉର୍ଦ୍ଧ ହେବ ତାଙ୍କ ସ୍ତ୍ରୀ ଓ ପିଲା ଛୁଆଙ୍କୁ ନେଇ ବନ୍ଧବାହାଲରେ ଏକ ଭଡା ଘରେ ରହି ସ୍ଥାନୀୟ କୋଇଲା ଖଣିର ଏକ ଠିକା ସଂସ୍ଥାରେ ଦିମଜୁରିଆ ଭାବରେ କାମ କରୁଥିଲେ। ଗତ ଶନିବାର ରାତିରେ ସୁନୀଲଙ୍କ ସ୍ତ୍ରୀଙ୍କର ଦେହ ଖରାପ ହୋଇଥିଲା। ଫଳରେ ସୁନୀଲ ତାଙ୍କ ସ୍ତ୍ରୀ ଓ ୪ ଜଣ ଶିଶୁଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଡାକ୍ତରୀ ଚିକିତ୍ସା ସତ୍ୱେ ରକ୍ତ ହୀନତା ଯୋଗୁଁ ସୋମବାର ରାତିରେ ସେ ପ୍ରାଣ ହରାଇଥିଲେ। ଏ ବିଷୟରେ ଖବର ପାଇ ଚାଇଲ୍ଡ ଲାଇନ ସଂଯୋଜକ ଆଶିଷ କୁମାର ପଣ୍ଡା, ସଦସ୍ୟ ଟିକେଶ୍ୱରୀ ପଟେଲ, ଝରଣା ଦୀପ ପ୍ରମୁଖ ସୁନୀଲଙ୍କ ସହ ଦେଖା ହୋଇ ଶିଶୁମାନଙ୍କ ସୁରକ୍ଷା ଓ ଯତ୍ନକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପରିସ୍ଥିତିରେ ତାଙ୍କୁ ଚାଇଲ୍ଡ ଲାଇନ ଦ୍ୱାରା ଥଇଥାନ କରିବାର ଆବଶ୍ୟକତା ରହିଛି ବୋଲି ବୁଝାଇଥିଲେ।
ଏଠାରେ ସୁନୀଲଙ୍କ କେହି ସମ୍ପର୍କୀୟ ନଥିବାସହ ଲକ ଡାଉନ ଯୋଗୁଁ ତାଙ୍କ ପାଖରେ ଏବେ କାମ ଧନ୍ଦା ଓ ଛୁଆଙ୍କୁ ଆହାର ଦେବା ପାଇଁ ଟଙ୍କାର ଅଭାବ ରହିଛି। ତେଣୁ ସୁନୀଲ ଶିଶୁମାନଙ୍କୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିବା ପରେ ସ୍ତ୍ରୀର ଅନ୍ତେଷ୍ଟି ଶେଷ କରି ଉତ୍ତରପ୍ରଦେଶରେ ଥିବା ନିଜ ଘରକୁ ଯିବା ପାଇଁ ସମସ୍ତ ବ୍ୟବସ୍ଥା ହେଲା ପରେ ଛୁଆଙ୍କୁ ପୁଣି ଚାଇଲ୍ଡ ଲାଇନ ସହାୟତାରେ ନିଜ ସାଙ୍ଗରେ ନେଇକି ଯିବେ ବୋଲି କହିଛନ୍ତି।