କଂଗ୍ରେସ ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି, ତୈଳଦର ବୃଦ୍ଧିର ପ୍ରତିବାଦ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକସ୍ଥିତ ଶହୀଦ କରୁଣାକର ଛକରେ ଆଜି କଂଗ୍ରେସ ପକ୍ଷରୁ ଚୀନ୍ ସୈନ୍ୟଙ୍କ ସହ ସଂଘର୍ଷ କରି ସହିଦ ହୋଇଥିବା ଭାରତୀୟ ଯବାନନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏଥିରେ ଜିଲ୍ଲା କଂଗ୍ରେସ କର୍ମୀ, ସହିଦ କରୁଣାକର ସିଂ ନାୟକ ସ୍ମୃତି ଟ୍ରଷ୍ଟ, ସମଲେଶ୍ୱରୀ ସାହିତ୍ୟ ସଂସଦ, ସହିଦ ଭଗତ ସିଂ କ୍ଲବ, ଦକ୍ଷିଣକାଳୀ ସେବା ଟ୍ରଷ୍ଟ, ଗ୍ରାମ୍ୟ ଉନ୍ନୟନ କମିଟି କୋଲାବିରା, ପ୍ରଗତୀ ଯୁବକ ସଂଘ ସମାସିଂହାର ସଦସ୍ୟମାନେ ଏକତ୍ରିତ ହୋଇ ସହିଦଙ୍କ ପାଇଁ ୧ ମିନିଟ୍ ନିରବ ପ୍ରାର୍ଥନା କରିବା ସହ ଦୀପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ ଦେଇ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଦେଶ ମାତୃକା ପାଇଁ ଯବାନମାନେ ଜୀବନ ଦେଉଥିବାବେଳେ ଦେଶବାସୀ ମଧ୍ୟ ଶତ୍ରୁ ଦେଶର ସାମଗ୍ରୀ ବର୍ଜନ କରିବାର ଆବଶ୍ୟକତା ରହିଛି ବୋଲି ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ମହେନ୍ଦ୍ର ନାୟକ କହିଛନ୍ତି।

ଏହି ଅବସରରେ ଦେଶରେ ବଢ଼ି ଚାଲିଥିବା ତୈଳଦରକୁ ନେଇ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଇଥିଲା। କରୋନା କାଳରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଯୋଗୁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶ୍ୱ ତୈଳ ବଜାରରେ ଅଶୋଧିତ ତୈଳ ଦର ୪୦.୬୬ ଡଲାରୁ କମି ୩୭.୭ ଡଲାରେ ପହଂଚିଛି। ଏହାସତ୍ୱେ ସରକାର ତୈଳ ଦର ବୃଦ୍ଧି କରି ଦେଶର ସାଧାରଣ ଜନତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ତେଣୁ ତୈଳଦରକୁ ସରକାର ଶୀଘ୍ର ହ୍ରାସ କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।