ଝାରସୁଗୁଡ଼ାର ୨୧ଟି ହୋଟେଲରେ ମିଳିବ ପେଡ କ୍ୱାରେଣ୍ଟାଇନ ସୁବିଧା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ବାହରୁ ଆସୁଥିବା ଲୋକଙ୍କ ପାଇଁ ଜିଲ୍ଲା ପ୍ରଶାସନ ୨୧ଟି ହୋଟେଲରେ ପେଡ୍ କ୍ୱାରେଣ୍ଟାଇନ ସୁବିଧା ଉପଲବ୍ଧ କରାଇଛି। ଏହି ହୋଟେଲଗୁଡ଼ିକ ମଧ୍ୟରେ ହୋଟେଲ ଆତିଥ୍ୟ, ମାଇକ୍ରୋ କଣ୍ଟିନେଣ୍ଟାଲ, ଅର୍ଚାଡ, ଅନନ୍ତ ବଳିଆ, ବିଷ୍ଣୁ ପେଲେସ, କଳିଙ୍ଗ ପେଲେସ, ପାୟଲ, ୟୋଗେନ୍ଦ୍ର ରେସିଡେନ୍ସି, ଅମର, ନଟରାଜ, ରାଜଦୁତ, ୟୋଗେନ୍ଦ୍ର, ପ୍ରିନ୍ସ, ଲଲିତ ହେରିଟେଜ, କୋଣାର୍କ ରେଜେନ୍ସି, ମୋହିନି ରୋୟାଲ, ଉତ୍କଳ କଣ୍ଟିନେଣ୍ଟାଲ, ପଲ ହାଇଟ୍ସ, ଦେବୟାନି, ଅଭିନନ୍ଦନ ଓ ଅଜନ୍ତା ହୋଟେଲ ରହିଛି। ଉକ୍ତ ହୋଟେଲଗୁଡ଼ିକୁ କୋଭିଡ ସମ୍ପର୍କିତ ସମସ୍ତ ନିୟମ ପାଳନ କରିବାକୁ ପଡ଼ିବ। ହୋଟେଲରେ କ୍ୱାରେଣ୍ଟାଇନରେ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନଜର ରଖାଯିବ। ହୋଟେଲ କର୍ତୃପକ୍ଷ କ୍ୱାରେଣ୍ଟାଇନରେ ଥିବା ବ୍ୟକ୍ତିଙ୍କ ତଥ୍ୟ ପ୍ରତିିଦିନ କୋଭିଡ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପ୍ରଦାନ କରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।

ସୂଚନାଯୋଗ୍ୟ, ଜିଲ୍ଲାକୁ ଫେରୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବଢ଼ିବାରେ ଲାଗିଛି। ବିଶେଷ କରି ବାହାର ରାଜ୍ୟରୁ ଝାରସୁଗୁଡ଼ାକୁ ଆସି ହୋମ କ୍ୱାରେଣ୍ଟାଇନରେ ରହୁଥିବା ଲୋକେ ସଠିକ ଭାବେ ନିୟମ ପାଳନ କରୁନଥିବାରୁ ଏପରି ହେଉଥିବା ଲୋକେ ଅଭିଯୋଗ କରୁଛନ୍ତି। ସରକାରଙ୍କ ପକ୍ଷରୁ ୭ ଦିନ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନର ବ୍ୟବସ୍ଥା କରାଯାଇଛି। ଏଭଳି ସ୍ଥିତିରେ ଯଦି ଜଣେ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରେ ରହିବାକୁ ନାରାଜ ହୁଅନ୍ତି ତେବେ ସେ ପେଡ୍ କ୍ୱରେଣ୍ଟାଇନରେ ରହିପାରିବେ। ସେଥିପାଇଁ ପ୍ରଶାସନ ପକ୍ଷରୁ ପେଡ୍ କ୍ୱାରେଣ୍ଟାଇନ ପାଇଁ ଉପରୋକ୍ତ ୨୧ଟି ହୋଟେଲରେ ଲୋକଙ୍କୁ ରହିବାର ଅନୁମତି ପ୍ରଦାନ କରାଯାଇଛି।