ଝାରସୁଗୁଡ଼ାରେ ବଢୁଛି କରୋନା: ବାଗଡ଼ିହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସିଲ୍, ଝାରମୁଣ୍ଡା ପଂଚାୟତ ଲକଡାଉନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବଢ଼ି ଚାଲିଥିବାବେଳେ ଆଜି ୨୩ ଜଣ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ବାଗଡ଼ିହି ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଫାର୍ମାସିିଷ୍ଟ, ଦୁଇ କୋଭିଡ ସ୍ୱାବ ସଂଗ୍ରହ ଗାଡି ଚାଳକ, ଏକତାଲିଠାରେ ଥିବା ଏକ ବ୍ୟୁଟିପାର୍ଲର ମାଲିକଙ୍କ ସମ୍ପର୍କୀୟ, ବର୍ଷକର ଶିଶୁ, ୭ ବର୍ଷର ଦିବ୍ୟାଙ୍ଗ ବାଳକ, ଅଇଲାପାଲି ସଙ୍ଗରୋଧ କେନ୍ଦ୍ରରେ ଥିବା ୯ ଜଣ, ଗଙ୍ଗାନଗର ହୋମ କ୍ୱାରେଣ୍ଟାଇନରେ ଥିବା ୫ଜଣ, ଶଙ୍କର ହୋଟେଲରେ ପେଡ୍ କ୍ୱାରେଣ୍ଟାଇନରେ ଥିବା ୨ଜଣ, ବେଲପାହାଡ଼ ରେଲୱେ କଲୋନୀର ଜଣେ ବ୍ୟକ୍ତି ରହିଛନ୍ତି। ଏମାନେ ମହାରାଷ୍ଟ୍ର, ଦିଲ୍ଲୀ, ବିହାର, ଛତିଶଗଡ଼ ଫେରନ୍ତା ବୋଲି ଜଣାପଡ଼ିଛି।

ତେବେ ଚିହ୍ନଟ ହୋଇଥିବା ଫାର୍ମାସିଷ୍ଟ ଓ ବିଉଟି ପାର୍ଲରଙ୍କ ସମ୍ପର୍କୀୟ ପ୍ରଶାସନର ଚିନ୍ତା ବଢ଼ାଇଛନ୍ତି। ରିପୋର୍ଟ ପଜିଟିଭ ଆସିବା ପୂର୍ବରୁ ଫାର୍ମାସିଷ୍ଟ ଜଣକ ଆଉଟଡୋରରେ ରୋଗୀଙ୍କୁ ଚିକିତ୍ସା କରିଥିବାବେଳେ ବିଉଟିପାର୍ଲର ମାଲିକ ମଧ୍ୟ ପାର୍ଲରରେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି। ଫଳରେ ପ୍ରଶାସନ ବାଗଡ଼ିହି ସ୍ୱାସ୍ଥ୍ୟକେନ୍ଦ୍ର ଓ ବିଉଟି ପାର୍ଲରକୁ ସିଲ କରିବା ସହ ଫାର୍ମାସିଷ୍ଟ ଓ ବିଉଟିପାର୍ଲର ଯାଇଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବା ସହ ପଞ୍ଜିକରଣ କରିବା ପାଇଁ ଅନୁରୋଧ କରିଛି। ଫାର୍ମାସିିଷ୍ଟ ଭୁବନେଶ୍ୱର ଯାଇ କରୋନା ସଂକ୍ରମିତ ହୋଇଥିବା ତାଙ୍କ ଟ୍ରାଭେଲ ହିଷ୍ଟ୍ରିରୁ ଜଣାପଡ଼ୁଛି। ହେଲେ ତାଙ୍କ ସ୍ୱାବ ସଂଗ୍ରହ ପରେ ମଧ୍ୟ ସେ ଘରେ ନରହି ଏଣେତେଣେ ବୁଲାବୁଲି କରି ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ହୋଇ ମଧ୍ୟ ଏପରି ଦାୟିତ୍ୱହୀନତା କାର୍ଯ୍ୟ କରିଥିବାରୁ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି।

ସେହିପରି ବାଗଡିହିସ୍ଥିତ ଝାରମୁଣ୍ଡା ପଂଚାୟତକୁ ସରପଂଚ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଏକ ସପ୍ତାହ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି। ସେ କହିଛନ୍ତି, ଫାର୍ମାସିିଷ୍ଟ ଜଣକ ଆଉଟଡୋରରେ ରୋଗୀଙ୍କୁ ଦେଖିବା ସହ ଗ୍ରାମଂଚଳରେ ମଧ୍ୟ ଲୋକଙ୍କ ଘରକୁ ଯାଇ ଚିକିତ୍ସା କରିଛନ୍ତି। ଏହାସହ ସ୍ଥାନୀୟ ମାର୍କେଟରେ ମଧ୍ୟ ବୁଲାବୁଲି କରିଛନ୍ତି। ତେଣୁ ସ୍ଥାନୀୟ ଅଂଚଳରେ କରୋନା ସଂକ୍ରମଣ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ପଂଚାୟତ ମଧ୍ୟରେ ସକାଳ ୭ରୁ ୧୦ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ, ଔଷଧ ଦୋକାନ ନିୟମିତ ଢଙ୍ଗରେ ଖୋଲା ରହିବ, ଲୋକେ ଅତ୍ୟାବଶ୍ୟକ କାମ ପାଇଁ ମାସ୍କ ପରିଧାନ ଓ ସାମାଜିକ ଦୂରତା ଅବଲମ୍ବନ କରି ଯାତାୟାତ କରିପାରିବେ। ତେବେ ଅନ୍ୟ ଦୋକାନ ବଜାରରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଲକଡାଉନ ଘୋଷଣା କରାଯାଇଛି ବୋଲି ଝାରମୁଣ୍ଡା ସରପଂଚ ନଟବର ଅଗ୍ରୱାଲ କହିଛନ୍ତି ।

ସୂଚନାଯୋଗ୍ୟ, ଜିଲ୍ଲାରେ ୭୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୧୮ ଜଣ ସୁସ୍ଥ ହୋଇଥିବା ବେଳେ ୫୪ ଜଣ ଚିକିତ୍ସାଧୀନ ଅଛନ୍ତି।