ଜିଲ୍ଲାରେ ବୃଦ୍ଧି ପାଉଛନ୍ତି ଶିଶୁ ଶ୍ରମିକ

ଝାରସୁଗୁଡା,ଏନ୍ଏନ୍ଏସ୍ : ଶିଶୁମାନେ ଦେଶର ଭବିଷ୍ୟତ। ସେମାନଙ୍କୁ ଉତ୍ତମ ଖାଦ୍ୟ, ସ୍ୱାସ୍ଥ୍ୟ ଓ ଶିକ୍ଷା ଦେବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ହେଲେ କେତେବେଳେ ପରିସ୍ଥିତି ଯୋଗୁଁ ବାଧ୍ୟ ହୋଇ ଲୋକେ ନିଜ ପିଲାଛୁଆଙ୍କୁ କାମ କରାଉଛନ୍ତି ତ କେତେବେଳେ ଦୋକାନୀ, ବ୍ୟବସାୟୀମାନେ କମ ଟଙ୍କା ଦେଇ ଶିଶୁ ଶ୍ରମିକମାନଙ୍କୁ ନିଯୁକ୍ତି ଦେଉଛନ୍ତି । ଶିଶୁମାନଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ ନ କରିବା ପାଇଁ ସରକାର ନିୟମ କରିଛନ୍ତି।

କୌଣସି ବ୍ୟକ୍ତି ଯଦି ଶିଶୁମାନଙ୍କୁ କାର୍ଯ୍ୟରେ ଲଗାଇ ଥାଆନ୍ତି ତେବେ ତାଙ୍କୁ ୬ ମାସରୁ ୨ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ କିମ୍ବା ୨୦ ହଜାରରୁ ୫୦ ହଜାର ଟଙ୍କା ଜରିମାନାର ବ୍ୟବସ୍ଥା ରହିଛି। ହେଲେ ସରକାରଙ୍କ ନିୟମକୁ ‘ଫୁ’ କରି ଝାରସୁଗୁଡା ଜିଲ୍ଲାରେ ଅନେକ ସ୍ଥାନରେ ଶିଶୁମାନଙ୍କୁ ଶ୍ରମିକ ଭାବରେ କାମରେ ନିୟୋଜିତ କରୁଥିବା ଦେଖିବାକୁ ମିଳୁଛି। ବିଶେଷ କରି ବିଭିନ୍ନ ଦୋକାନ ଗ୍ୟାରେଜ ଆଦିରେ ଶିଶୁମାନଙ୍କୁ ଅଳ୍ପ ଦରମା ଦେଇ ଶ୍ରମିକ ଭାବରେ ନିୟୋଜିତ କରାଯାଉଛି।

ଜିଲ୍ଲାର ଚାଇଲ୍ଡ ଲାଇନ ବିଭାଗ ମଧ୍ୟ ଏହି ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରାଣପଣେ ଉଦ୍ୟମ ଜାରି ରଖିଛି । ବିଗତ ୪ ବର୍ଷର ରିପୋର୍ଟ ଅନୁସାରେ ୨୦୧୬-୧୭ରେ ୨୦ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ସେହିପରି ୨୦୧୭-୧୮ରେ ୩୧ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ୨୦୧୮-୧୯ରେ ୩୮ ଜଣ ଓ ୨୦୧୯-୨୦ରେ ୧୩୩ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ଚାଇଲ୍ଡ ଲାଇନ ପକ୍ଷରୁ ଥଇଥାନ କରାଯାଇଛି । ପ୍ରତିବର୍ଷ ଅଧିକରୁ ଅଧିକ ଶିଶୁଙ୍କୁ ଉଦ୍ଧାର କରାଯାଉଛି କାରଣ ଅଧିକ ଶିଶୁଙ୍କୁ ଲୋକେ କାର୍ଯ୍ୟରେ ନିୟୋଜିତ କରକୁଛନ୍ତି ।

ତେବେ ଜିଲ୍ଲାର ଅନେକ ସ୍ଥାନରେ ଶିଶୁମାନଙ୍କୁ ଶ୍ରମିକ ଭାବରେ ନିୟୋଜିତ କରାଯାଇଥିଲେ ମଧ୍ୟ ସେହି ଖବର ଚାଇଲ୍ଡ ଲାଇନ ଅବା ଶିଶୁ ମଙ୍ଗଳ କମିଟି ପାଖକୁ ପହଂଚି ପାରୁ ନାହିଁ। ଫଳରେ ସେହି କୋମଳମତି ଶିଶୁଙ୍କ ଶୈଶବ ଶ୍ରମରେ ଶେଷ ହୋଇଯାଉଛି ଓ ସେମାନେ ଉତ୍ତମ ଶିକ୍ଷା ପାଇବାରୁ ବଂଚିତ ରହୁଛନ୍ତି। ତେଣୁ ଶିଶୁଙ୍କୁ କାର୍ଯ୍ୟରେ ନିୟୋଜିତ କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ ପରିସ୍ଥିତିରେ ପଡି ଶ୍ରମିକ ହେଉଥିବା ଶିଶୁଙ୍କୁ ସହଯୋଗ ପ୍ରଦାନ କରିବାସହ ଜନ ସଚୋତନତା ଦ୍ୱାରା ଶିଶୁ ଶ୍ରମିକ ପ୍ରଥାକୁ ରୋକାଯାଇଛି। ଏହାସହ ସେମାନଙ୍କୁ ଏକତ୍ତଉତ୍ତମ ଭବିଷ୍ୟତ ଦିଆଯାଇ ପାରିବ ବୋଲି ଝାରସୁଗୁଡା ଚାଇଲ୍ଡ ଲାଇନ ସଂଯୋଜକ ଆଷିଶ କୁମାର ପଣ୍ଡା କହିଛନ୍ତି ।