ଛାତ୍ର କଂଗ୍ରେସ ତରଫରୁ ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ

ବଲାଙ୍ଗିର,ଏନ୍ଏନ୍ଏସ୍: କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସମସ୍ତ ସ୍ନାତକ ଓ ସ୍ନାତକୋତ୍ତର ସେମିଷ୍ଟାର ପରୀକ୍ଷା ବାତିଲ କରିବା ପାଇଁ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଦାବି କରାଯାଇଛି। ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବିପତ୍ରରେ କରୋନା କାଳରେ ପରୀକ୍ଷା କରିବା ଉଭୟ ଛାତ୍ର ଓ ଅଧ୍ୟାପକମାନଙ୍କ ପାଇଁ ବିପଦଜନକ ହେବ ବୋଲି ଉଲ୍ଲେଖ କରାଯାଇଛି। ତେଣୁ ପୂର୍ବ ସେମିଷ୍ଟାରର ମାର୍କକୁ ଆଧାର କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ତୀର୍ଣ୍ଣ କରାଯାଉ। ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ତାହା ଲାଗୁ କରାଯାଇ ଡିଗ୍ରୀ ପ୍ରଦାନ କରାଯାଉ। ବିଶ୍ୱବିଦ୍ୟାଳୟ ପ୍ରଶାସନ ଏକ ପ୍ରସ୍ତାବ ପାରିତ କରି ଆସନ୍ତା ଶିକ୍ଷାବର୍ଷର ସମସ୍ତ ଫି’ ଛାଡ଼ କରୁ। ଏଥିସହିତ ଛାତ୍ରଛାତ୍ରୀଙ୍କଠାରୁ ସେମିଷ୍ଟାର ବାବଦକୁ ନିଆଯାଇଥିବା ଫି’ ଫେରସ୍ତ କରାଯାଉ ବୋଲି ଛାତ୍ର କଂଗ୍ରେସ ତରଫରୁ ଦାବି କରାଯାଇଛି ।