ମାଇକ୍ରୋଫାଇନେନ୍ସ କମ୍ପାନୀ ପକ୍ଷରୁ ଟଙ୍କା ଆଦାୟକୁ ବିରୋଧ

ଝାରସୁଗୁଡା,ଏନ୍ଏନ୍ଏସ୍: ଲକ ଡାଉନ ସମୟରେ ସମସ୍ତ ରୁଣ ଆଦାୟ ଉପରେ ସରକାର ରୋକ ଲଗାଇଛନ୍ତି। ହେଲେ ଏହାକୁ ଅମାନ୍ୟକରି କିଛି ମାଇକ୍ରୋଫାଇନାନ୍ସ କମ୍ପାନୀ ଜୋରଜବରଦସ୍ତ ଟଙ୍କା ଆଦାୟ କରୁଥିବା ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକର ମହିଳା ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି।

ସେମାନେ କହିଛନ୍ତି ଯେ, ଜିଲ୍ଲାର ବିଭିନ୍ନ ମହିଳା ସଙ୍ଗଠନ ଓ ମହିଳା ଗ୍ରୁପ ମାଇକ୍ରୋଫାଇନାନ୍ସ କମ୍ପାନୀ ଗୁଡିକଠାରୁ ୧୭ରୁ ୨୪ ପ୍ରତିଶତ ସୁଧ ହାରରରେ ପ୍ରାୟ ୩୦ରୁ ୫୦ ହଜାର ଟଙ୍କା ଲେଖାଏଁ ଉଠାଣ କରିଛନ୍ତି। ଲଡଡାଉନ ପୂର୍ବରୁ ସେମାନେ ପରିଶ୍ରମ କରି ଦି ପଇସା ରୋଜଗାର କରି ଏହି ମାଇକ୍ରୋଫାଇନେନ୍ସ ଏଜେଣ୍ଟମାନଙ୍କୁ ତାଙ୍କ ନିୟମ ଅନୁସାରେ ସପ୍ତାହରେ, ୧୫ ଦିନରେ ଅବା ମାସକରେ ସୁଧ ପୈଠ କରୁଥିଲେ। ହେଲେ ଲକଡାଉନ ଯୋଗୁଁ ପ୍ରାୟ ୩ ମାସ ହେବ ସେମାନେ କାମଧନ୍ଦା ହରାଇ ଘରେ ବସି ରହିଥିବାରୁ ସେମାନଙ୍କ ପାଖରେ ଏବେ ଦି ଓଳି ଖାଇବା ସାମଗ୍ରୀ କିଣିବା ପାଇଁ ଟଙ୍କା ନାହିଁ। ସେମାନେ ସରକାରଙ୍କ ପକ୍ଷରୁ ମିଳିଥିବା ଖାଉଟୀ ସାମଗ୍ରୀ ଓ ସହାୟତା ରାଶିରେ ଦୁଃଖ କଷ୍ଟରେ ପରିବାର ପ୍ରତିପୋଷଣ କରୁଛନ୍ତି। ହଲେ ଏହି ସମୟରେ ମାଇକ୍ରୋଫାଇନାନ୍ସ ଏଜେଣ୍ଟମାନେ ଘରକୁ ଆସି ଗରିବ ଉପୋଭକ୍ତାମାନଙ୍କୁ ସେମାନେ ଉଠାଣ କରିଥିବା ଟଙ୍କା ପୈଠ କରିବା ପାଇଁ ବାଧ୍ୟ କରୁଛନ୍ତି।

ଏହାସହ ଲକ ଡାଉନ ସମୟରେ ପୈଠ କରି ନଥିବା ଟଙ୍କାର ୨୪ ପ୍ରତିଶତ ଅଧିକ ସୁଧ ଦେବାକୁ ପଡିବ ଏଥିପାଇଁ ଆରବିଆଇ ନୂତନ ଗାଇଡ ଲାଇନ ପ୍ରସ୍ତୁତ କରିଛି ବୋଲି ଏଜେଣ୍ଟମାନେ ମିଛ କହି ଗରିବ ମହିଳାମାନଙ୍କ ଉପରେ ମାନସିକ ଚାପ ପ୍ରୟୋଗକରି ଟଙ୍କା ଆଦାୟ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ଗରିବ ମହିଳାମାନେ ଏହି ପରିସ୍ଥିତିରେ ଟଙ୍କା ପରିଶୋଧ କରି ନପାରି ମାନସିକ ଚାପରେ ରହୁଛନ୍ତି ତେଣୁ ସରକାରୀ ନିର୍ଦ୍ଦେଶ ଅନୁସାରେ ବର୍ତ୍ତମାନର ପରିସ୍ଥିତିରେ ରୁଣ ଆଦାୟ ବନ୍ଦ କରାଯାଉ ବୋଲି ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ନିକଟରେ ମହିଳା ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି। ପ୍ରକାଶ ଯୋଗ୍ୟ ଯେ, ଗତ ସୋମବାର ବେଲପାହାଡ ଜୁନାଡିହି ଅଂଚଳରେ ମାଇକ୍ରୋ ଫାଇାନାନ୍ସ ରୁଣ ପରିଶୋଧ କରି ନ ପାରି ଜଣେ ମହିଳା ଆତ୍ମହତ୍ୟା କରିଥିବା ତାଙ୍କ ସ୍ୱାମୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ।