ଋଣ ପରିଶୋଧ କରିନପାରି ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲକଡାଉନ ଯୋଗୁ ଦିନ ମଜୁରିଆଙ୍କ କାମ ଧନ୍ଦା ଠପ ହୋଇଯାଇଛି। ଫଳରେ ସେମାନେ ଅତି ଦୁଃଖକଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ଏହି ପରିସ୍ଥିତିରେ ମାଇକ୍ରୋଫାଇନାନ୍ସ କମ୍ପାନୀରୁ ଆଣିଥିବା ଋଣ ପରିଶୋଧ କରିନପାରି ଦିନ ମଜୁରି କରୁଥିବା ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମାଇକ୍ରୋଫାଇନାନ୍ସ କମ୍ପାନୀରୁ ଆଣିଥିବା ଋଣ ସହ ସୁଧ ପରିଶୋଧ କରିବା ପାଇଁ କମ୍ପାନୀ ଏଜେଣ୍ଟ ମାନସିକ ଚାପ ପ୍ରୟୋଗ କରିବାରୁ ବେଲପାହାଡ଼ ଜୁନାଡ଼ିହି ଅଂଚଳର ସନ୍ଧ୍ୟାରାଣୀ ପ୍ରଧାନ(୨୬) ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ସ୍ୱାମୀ ଯୋଗେଶ୍ୱର ପ୍ରଧାନ ବେଲପାହାଡ଼ ଥାନାରେ ଅଭିଯୋଗ କରିଛନ୍ତି। ଖବରପାଇ ବେଲପାହାଡ଼ ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରାଇବା ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି। ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।