ପଙ୍ଗପାଳ ଦମନ ପାଇଁ ସୀମାନ୍ତରେ କାର୍ଯ୍ୟାଭ୍ୟାସ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାସ୍ଥିତ ସୀମାନ୍ତ ଅଂଚଳ ଦେଇ ଛତିଶଗଡ଼ ପଟୁ ପଙ୍ଗପାଳ ରାଜ୍ୟରେ ପଶିବାରେ ଆଶଙ୍କା ରହିଛି। ତେବେ ଏହି ପଙ୍ଗପାଳମାନଙ୍କର ସାମ୍ଭାବ୍ୟ ମୁକାବିଲା କରି ସୀମାନ୍ତରେ ହିଁ ସେମାନଙ୍କୁ ରୋକିବା ପାଇଁ କନକତୋରା ଗ୍ରାମପଂଚାୟତସ୍ଥିତ କୁହାକୁଣ୍ଡା ଛକ ନିକଟରେ ଆଜି ପଙ୍ଗପାଳ ଦମନ କାର୍ଯ୍ୟାଭ୍ୟାସ ଅନୁଷ୍ଠିତ ହୋଇଛି। ଅଗ୍ନିଶମ ବିଭାଗ କାର୍ଯ୍ୟାଭ୍ୟାସ ପ୍ରଦର୍ଶନ କରିଥିବାବେଳେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ଉପସ୍ଥିତ ରହି ତଦାରଖ କରିଥିଲେ। ଏଥିସହିତ ପଙ୍ଗପାଳ ଆକ୍ରମଣରୁ ଫସଲକୁ କିପରି ରକ୍ଷା କରାଯାଇପାରିବ ସେନେଇ ଚାଷୀଙ୍କୁ ସଚେତନ କରିଥିଲେ। କୀଟମାନେ ଓଡ଼ିଶା ଆସିବେ ନା ନାହିଁ ତାହା ପବନର ଗତି, ବର୍ଷା ତଥା ପାଣିପାଗ ଉପରେ ନିର୍ଭର କରିବ ବୋଲି ସେ କହିଛନ୍ତି। ଯଦି ସେମାନେ ଓଡ଼ିଶା ଆସନ୍ତି ତେବେ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରାକ୍ ପ୍ରସ୍ତୁତି କରିସାରିଛି।

ସେହିପରି ଏଗ୍ରିକଲଚର, ହରଟିକଲଚର, ଜିଲ୍ଲାସ୍ତରୀୟ ଅଧିକାରୀ ତଥା ବିଡିଓଙ୍କ ପ୍ରତିନିଧିମାନେ ଚାଷୀଙ୍କ ନିକଟକୁ ଯାଇ ସେମାନେ କିପରି ପଙ୍ଗପାଳ କବଳରୁ ନିଜର ଚାଷକୁ ରକ୍ଷା କରିବେ ସେନେଇ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। ଏହି କୀଟକୁ ତଡ଼ିବା ପାଇଁ ଟିଣ ବାଡ଼େଇବା, ଫସଲରେ ନିମ ୩୦୦ପିପିଏମ୍ ସ୍ପ୍ରେ କରିବା ଆଦି ସମ୍ପର୍କରେ ଜିଲ୍ଲାର ଚାଷୀଙ୍କୁ ଅବଗତ କରାଯାଉଛି। ବର୍ତ୍ତମାନ ଜିଲ୍ଲାର ସମସ୍ତ ବ୍ଲକରେ ଯଥେଷ୍ଟ ପରିମାଣର ସ୍ପ୍ରେ ମେସିନ ରହିଛି। ଏହାସହ ଡିଲରମାନଙ୍କୁ ମଧ୍ୟ ଔଷଧ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ ଭାବରେ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଲଖନପୁର ବ୍ଲକର କୃଷି ବିଭାଗ ଅଧିକାରୀମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ୧୧ଟି କେମିକାଲର ତାଲିକା ପ୍ରସ୍ତୁତ କରି ଏହି ପଙ୍ଗପାଳ ଦଳକୁ ଝାରସୁଗୁଡ଼ା ସୀମାରେ ଅଟକାଇବା ସହ ଚାଷୀଙ୍କୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ସାମଲ କହିଛନ୍ତି।