କୋଭିଡ ଉପକରଣ କ୍ରୟରେ ଦୁର୍ନୀତି ଅଭିଯୋଗ ଭିତ୍ତିହୀନ: ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ପ୍ରାଣପଣେ ଉଦ୍ୟମ କରୁଛନ୍ତି। କିନ୍ତୁ କେତେକ ମନ୍ଦ ଉଦ୍ଦେଶ୍ୟ ରଖୁଥିବା ବ୍ୟକ୍ତି ସରକାରଙ୍କୁ ନିରୁତ୍ସାହିତ କରିବା ପାଇଁ କୋଭିଡ ଉପକରଣ କ୍ରୟରେ ଦୁର୍ନୀତି ହୋଇଥିବା ଅଭିିଯୋଗ ଆଣିଛନ୍ତି। ହେଲେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଜନସାଧାରଣଙ୍କୁ ଭ୍ରମିତ କରିବାର ମାଧ୍ୟମ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ହିଁ ରାଜ୍ୟ ସରକାର ସମସ୍ତ ଉପକରଣ କ୍ରୟ କରୁଛନ୍ତି। ୨୧ ମାର୍ଚ୍ଚ ୨୦୨୦ରେ କେନ୍ଦ୍ର ସରକାର ୧୦ ଟଙ୍କାରେ ମାସ୍କ କିଣିବା ପାଇଁ ଚିଠି କରିଥିଲେ। ଏହାର ୩ ଦିନ ପରେ ଅର୍ଥାତ ୨୪ ମାର୍ଚ୍ଚରେ ୧୬ ଟଙ୍କାରେ ମାସ୍କ କିଣିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ। ତେଣୁ କୋଭିଡ ଉପକରଣ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ସିପିଏସୟୁର ନିର୍ଦ୍ଧାରିତ ମୂଲ୍ୟରେ କିଣାଯାଉଛି। ସେହିପରି ପିପିଇ କିଟ କେନ୍ଦ୍ର ସରକାରଙ୍କ ଅନୁଷ୍ଠାନ ଏଚଏଚଏଲରୁ କିଣାଯାଉଛି। ଅନ୍ୟ ଉପକରଣ ସବୁ ଆଇସିଏମଆର ଯେଉଁ ସରକାରୀ ଏଜେନ୍ସିକୁ ପ୍ରଦାନ କରୁଛି ଆମେ ତାଙ୍କଠାରୁ ହିଁ କ୍ରୟ କରୁଛୁ। ତେଣୁ ଏହି ଉପକରଣ କ୍ରୟରେ କୌଣସି ପ୍ରକାର ଦୁର୍ନିତୀର ପ୍ରଶ୍ନ ଉଠୁନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି।