ଅବସରପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ବେନିୟମ ପୁନଃନିଯୁକ୍ତିର ତଦନ୍ତ ଆରମ୍ଭ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଅବସରପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ କାର୍ଯ୍ୟ ନିବୃତି ଓ ସ୍ୱାସ୍ଥ୍ୟ ଉପକେନ୍ଦ୍ର ହସ୍ତାନ୍ତର ନେଇ ସ୍ଥାନୀୟ ଲୋକେ ଦାବି କରିବା ପରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ଜିଲ୍ଲା ପରିବାର କଲ୍ୟାଣ ବିଭାଗର ଏଡିଏମଓ ସୁପ୍ରଭା ବାରିକ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚି ବିଭିନ୍ନ କାଗଜ ପତ୍ର ଯାଂଚ କରିବା ସହ ତଦନ୍ତ କରିଛନ୍ତି। ଏନେଇ ଏକ ରିପୋର୍ଟ ପ୍ରସ୍ତୁତ କରି ସିଡିଏମଓଙ୍କୁ ହସ୍ତାନ୍ତର କରିବା ପରେ ହିଁ ତାଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମତୀ ବାରିକ କହିଛନ୍ତି।

ସୂଚନାଯୋଗ୍ୟ, ଅବସରପ୍ରାପ୍ତ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ବେନିୟମ ଭାବରେ ବେଲପାହାଡ଼ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଅତିରିକ୍ତ ଏଏନଏମ୍ ଭାବରେ ପୁଃନନିଯୁକ୍ତି ପାଇଥିବା ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ, ୨୦୧୧ ମସିହାରେ ରତ୍ନମଣି ଦେଇ ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ଭାବରେ ଲଖନପୁର ସିଏଚସିରୁ ଅବସର ଗ୍ରହଣ କରିଥିଲେ। ହେଲେ ବିଭିନ୍ନ ଜାଲି କାଗଜ ପତ୍ର ଦର୍ଶାଇ ସେ ପୁଣି ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗରେ ୧୧ ମାସ ପାଇଁ ପୁନଃନିଯୁକ୍ତି ପାଇଥିଲେ। ତେବେ ୧୧ ମାସ ପାଇଁ ପାଇଥିବା ଠିକା ନିଯୁକ୍ତିରେ ସେ ୪ ବର୍ଷ ହେଲାଣି ଜିଲ୍ଲା ଖଣିଜ ପାଣ୍ଠିରୁ ଦରମା ପ୍ରାପ୍ତ କରିବା ସହ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ସରକାରୀ କ୍ୱାଟରକୁ ମଧ୍ୟ ଅକ୍ତିଆର କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ବୟୋଜ୍ୟଷ୍ଠ ବ୍ୟକ୍ତିଙ୍କୁ କୋରନା ସଂକ୍ରମଣ  ହେବାର ଆଶଙ୍କା ଅଧିକ ରହିଥିବାରୁ ସରକାର ବୟସ୍କ ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦେଉଛନ୍ତି। ହେଲେ ସରକାରଙ୍କ ନିର୍ଦ୍ଦେଶନାମାକୁ ବେଖାତିର କରି ବେଲପାହାଡ଼ ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଅବସରପ୍ରାପ୍ତ ବୟସ୍କ ସ୍ୱାସ୍ଥ୍ୟକର୍ମୀଙ୍କୁ କାହିଁକି ପୁନଃ ନିଯୁକ୍ତି ଦିଆଯାଇଛି, ତା’ର ତଦନ୍ତ କରାଯାଉ ବୋଲି ଲୋକେ ଜିଲ୍ଲାପଳଙ୍କ ନିକଟରେ ଦାବି କରିଥିଲେ।