ଗାନ୍ଧିଛକରୁ ଜବରଦଖଲ ଉଚ୍ଛେଦ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଏନଏଚଆଇର ନିର୍ଦ୍ଦେଶକ୍ରମେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଗାନ୍ଧିଛକ ଅଂଚଳରେ ଏନଏଚ-୪୯ କଡ଼ରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଜାତୀୟ ରାଜପଥ କଡ଼ରେ ବେଆଇନ ଭାବରେ ଗଢ଼ି ଉଠିଥିବା ବିଭିନ୍ନ ଛୋଟ ଦୋକାନ, ବ୍ରଜରାଜନଗର ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ଆଦିକୁ ଉଚ୍ଛେଦ କରାଯାଇଛି। ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣାକୁ ଏଡ଼ାଇବା ସହ ରାସ୍ତା ପ୍ରଶସ୍ତିକରଣ ପାଇଁ ଏହି ପଦକ୍ଷେପ ନିଆଯାଇଛି।
ସୂଚନାଯୋଗ୍ୟ, ଜବରଦଖଲକାରୀମାନେ ରାସ୍ତା ଉପରେ କବଜା କରିଥିବାରୁ ରାସ୍ତା ସଂକୀର୍ଣ୍ଣ ହେବାସହ ଲୋକଙ୍କ ଯାତାୟତରେ ବହୁ ଅସୁବିଧା ଉପୁଜୁଥିଲା। ବାରମ୍ବାର ଏଠାରେ ଟ୍ରାଫିକ ସମସ୍ୟା ଉପୁଯିବା ସହ ଲୋକେ ଦୁର୍ଘଟଣାଗ୍ରସ୍ତ ମଧ୍ୟ ହେଉଥିଲେ। ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କଲାପରେ ଆଜି ଉଚ୍ଛେଦ କାମ ଆରମ୍ଭ ହୋଇଛି। ଏହାକୁ ସ୍ଥାନୀୟ ଲୋକେ ପ୍ରଶଂସା କରୁଥିବାବେଳେ ଜବରଦଖଲକାରୀମାନେ କିନ୍ତୁ ବିରୋଧ କରୁଛନ୍ତି। ଉଚ୍ଛେଦକୁ ବିରୋଧ କରୁଥିବା ବ୍ରଜରାଜନଗର ଟ୍ରକ ମାଲିକ ସଂଘ ଏବଂ ଅନ୍ୟ ୩ଜଣକୁ ପୁଲିସ ଅଟକ ରଖିଛି। ତହସିଲଦାର ଗୋଲଖ ବିହାରୀ ମଙ୍ଗରାଜ, ବ୍ରଜରାଜନଗର ଏସଡିପିଓ ଦିଲ୍ଲୀପ ଦାସ, ଥାନା ଅଧିକାରୀ ନଳିତା ମୋଦୀ, ଓରିଏଣ୍ଟ ଥାନା ଅଧିକାରୀ ବୈକୁଣ୍ଠ ବିହାରୀ ସେଠ, ବେଲପାହାଡ଼ ଥାନା ଅଧିକାରୀ ରଶ୍ମିତା ବେହେରା ପ୍ରମୁଖଙ୍କ ସହ ପୁଲିସକର୍ମୀଙ୍କ ଉପସ୍ଥିତିରେ ଏହି ଜବରଦଖଲକୁ ଉଚ୍ଛେଦ କରାଯାଉଛି ।