ଗୋଟିଏ ଜୁଇରେ ଜଳିଳେ ପରିବାରର ୪ ସଦସ୍ୟ

ଝାରସୁଗୁଡା,ଏନ୍ଏନ୍ଏସ୍ : ଗୋଟିଏ ଜୁଇରେ ଆଜି ଗୋଟିଏ ପରିବାବର ୪ ସଦସ୍ୟଙ୍କ ଚିତା ଜଳିଛି । ସାନ ଭାଇ ମୃତ୍ୟୁରେ ଦୁଃଖରେ ଭାଙ୍ଗିପଡି ମୃତ୍ୟୁକୁ ଆଦରି ନେଇଛନ୍ତକି ବଡ ଭାଇ ଭଉଣୀ ଓ ମା’। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ଲହଣ୍ଡାବୁଡ ଅଂଚଳରେ। ପରିବାର ୪ ସଦସ୍ୟଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଥିବାବେଳେ ସମ୍ପର୍କୀୟ, ସାଙ୍ଗସାଥୀ, ସ୍ଥାନୀୟ ଲୋକ, ମାଜିଷ୍ଟ୍ରେଟ ଓ ପୁଲିସ ଉପସ୍ଥିତିରେ ସେମାନଙ୍କ ଶେଷକୃତ୍ୟ ଆଜି ଅପରାହ୍ଣରେ ସମ୍ପନ୍ନ କରାଯାଇଥିବା ବିଟିଏମ ଫାଣ୍ଡି ଅଧିକାରୀ ସୁଚିସ୍ମିତା ମହାନ୍ତି ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନ୍ୟ ଦୁଇ ଭଉଣୀ ବନ୍ଦିତା(୩୫) ଏବଂ ଲିଲି(୩୮)ଙ୍କର ମଧ୍ୟ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି।

ସାନଭାଇ ଦୀପକ ବିଶ୍ୱାଳ(୨୨)ର ମୃତ୍ୟୁ ପରେ ଝାରସୁଗୁଡା ଜିଲ୍ଲା ଲହୁଣ୍ଡାବୁଡ ଅଂଚଳରେ ସୋମବାର ରାତିରେ ତିନି ଭଉଣୀ, ବଡ ଭାଇ ଓ ମା’ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପୁଲିସ ଏ ବିଷୟରେ ଖବର ପାଇ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲ୍ଲା ଡାକ୍ତାରଖାନାକୁ ସ୍ଥାନାନ୍ତର କରାଯାଇଥିଲ। ହେଲେ ଚିକିତିତ୍ସ ଅବସ୍ଥାରେ ଗତ ବୁଧବାର ସକାଳେ ବଡ ଭାଇ ଶ୍ରୀକାନ୍ତ ବିଶ୍ୱାଳ(୩୩)ଙ୍କ ମୃତ୍ୟୁ ହୋଇଥିବାବେଳେ ରାତିରେ ଭଉଣୀ ପିଙ୍କି ବିଶ୍ୱାଳ(୩୦) ଓ ଗୁରୁବାର ସକାଳେ ମା’ ପୁଷ୍ପାବତୀ ବିଶ୍ୱାଳ (୫୮)ଙ୍କ ମୃତ୍ୟୁ ହୋଇଛି। ଗୋଟିଏ ପରିବାରର ୪ ଜଣ ପ୍ରାଣ ହରାଇବା ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଥିବାବେଳେ ଆଜି ବୁର୍ଲ୍ଲରୁ ମା’ ପୁଷ୍ପାବତୀ, ଭଉଣୀ ପିଙ୍କି ଓ ଭାଇ ଶ୍ରୀକାନ୍ତଙ୍କ ଓ ଝାରସୁଗୁଡା ଶବ ଗୃହରୁ ଦୀପକର ମୃତଦେହ ଆଣି ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

ପ୍ରକାଶଯୋଗ୍ୟ ଯେ, ୨୦୧୮ ମସିହାରେ ଝାରସୁଗୁଡା ବେହେରାମାଲରେ ଏକ ବାଇକ ଦୁର୍ଘଟଣା ହୋଇଥିଲା। ଏଥିରେ ଦୀପକ ବିଶ୍ୱାଳ ଗୁରୁତର ଆହତ ହୋଇ କୋମାକୁ ଚାଲିଯାଇଥିଲେ। ଦୀପକ ଭଲ ହୋଇଯିବେ ଆସାରେ ପରିବାର ଲୋକେ ତାଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରର ବଡ଼ ବଡ଼ ମେଡିକାଲରେ ଚିକିତ୍ସା କରାଇ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଥିଲେ। ଏହାସହ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଘରେ ଦୀପକଙ୍କ ଚିକିତ୍ସା ଜାରି ରଖିଥିଲେ। ହେଲେ ଚାଲିଥିବାବେଳେ ଗତ ସୋମବାର ସେ ଗୁରୁତର ହୋଇପଡିଥିଲେ। ତେଣୁ ତାଙ୍କୁ ଏକ ଘରୋଇ ନର୍ସିଂହୋମକୁ ନିଆଯାଇଥିଲା। ସେଠାରେ ଦୀପକର ମୃତ୍ୟୁ ହୋଇଥିଲା।

ଏହାପରେ ଦୀପକର ସାଙ୍ଗମାନେ ତାଙ୍କ ମୃତ ଦେହକୁ ଘରକୁ ନେଇ ଆସିଥିଲେ। ଦୀପକର ମୃତ୍ୟୁରେ ଭାଙ୍ଗିପଡି ପରିବାରର ସମସ୍ତେ ଆତ୍ମହତ୍ୟା କରିବାର ନିଷ୍ପତି ନେଇ ଫିନାଇଲ ପିଇଥିଲେ। ତେବେ ଏବିଷୟରେ ଦୀପକର ସାଙ୍ଗ ଓ ପଡୋଶୀମାନେ ଜାଣି ପାରି ରାତି ପ୍ରାୟ ୧୧ଟାରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ତୁରନ୍ତ ଘଟଣାସ୍ଥଳକୁ ପହଂଚି ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବାସହ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲା। ହେଲେ ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।