ପ୍ରାପ୍ୟ ନ ଦେଇ କାର୍ଯ୍ୟରୁ ବହିଷ୍କାର କରିଥିବା ଅଭିଯୋଗ

ଝାରସୁଗୁଡା,ଏନ୍ଏନ୍ଏସ୍ : ଝାରସୁଗୁଡା ବ୍ରଜରାଜନଗର ରେଂଜରେ କାମ କରୁଥିବା କିଛି କର୍ମଚାରୀଙ୍କୁ ସେମାନଙ୍କର ବକେୟା ପ୍ରପ୍ୟ ନ ଦେଇ କାମରୁ ବାହାର କରିଥିବା ଅଭିଯୋଗ ହୋଇଛି । ପ୍ରତାଡିତ ହୋଇଥିବା ଶ୍ରମିକମାନେ ଏନେଇ ଆଜି ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ଓ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଯେ, ବ୍ରଜରାଜନଗର ରେଂଜର, ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ବ୍ୟାପକ ଦୂର୍ନିତି କରୁଛନ୍ତି। ସେମାନେ ଚନ୍ଦନୀମାଲସ୍ଥିତ ମେଗା ନର୍ସରୀରେ ପ୍ରକୃତରେ କାମ କରୁଥିବା ଶ୍ରମିକମାନଙ୍କୁ ସେମାନଙ୍କ ଦରମା ନ ଦେଇ ଅନ୍ୟମାନେ କାମ କରୁଥିବା ଦର୍ଶାଇ ତାଙ୍କ ଆକାଉଂଟକୁ ଟଙ୍କା ଟ୍ରାନ୍ସପର କରି ହଡପ କରୁଛନ୍ତି। ଏହାକୁ ବିରୋଧ କରି କାମ କରିଥିବା କାର୍ଯ୍ୟର ପ୍ରାପ୍ୟ ମାଗିବାରୁ ସେମାନେ କିଛି ଶ୍ରମିକଙ୍କୁ କାର୍ଯ୍ୟରୁ ବାହାର କରିଦେଇଥିବା ଅଭିଯୋଗ କରାଯାଇଛି। ଏହାସହ ଶ୍ରମିକମାନେ କରିଥିବା କାମର ପ୍ରାପ୍ୟ ଓ ସେମାନଙ୍କୁ ମେଗା ନର୍ସରୀରେ ପୁଃନ ନିଯୁକ୍ତି ଦିଆଯାଉ ନଚେତ ସେମାନେ ଆନ୍ଦୋଳନର ପନ୍ଥା ଅବଳମ୍ବାନ କରିବେ ବୋଲି କହିଛନ୍ତି।