ପୁଅର ମୃତ୍ୟୁରେ ଭାଙ୍ଗି ପଡ଼ି ଆତ୍ମହତ୍ୟା ଉଦ୍ୟମ କଲେ ପରିବାରର ୫ ସଦସ୍ୟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲହୁଣ୍ଡାବୁଡ଼ ଅଂଚଳରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅର ମୃତ୍ୟୁ ପରେ ତାଙ୍କ ତିନି ଭଉଣୀ, ବଡ ଭାଇ ଓ ମା’ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମୃତକ ଜଣକ ଦୀପକ ବିଶ୍ୱାଳ (୨୨) ହୋଇଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ମା’ ପୁଷ୍ପବତୀ(୫୮), ଭାଇ ଶ୍ରୀକାନ୍ତ (୩୩), ଭଉଣୀ ଲିଲି (୩୮), ପିଙ୍କି(୩୦), ବନ୍ଦିତା( ୩୫) ବୋଲି ବିଟିଏମ ଫାଣ୍ଡି ଅଧିକାରୀ ସୁଚିସ୍ମିତା ମହାନ୍ତି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୮ ମସିହାରେ ଝାରସୁଗୁଡ଼ା ବେହେରାମାଲରେ ଏକ ବାଇକ ଦୁର୍ଘଟଣା ହୋଇଥିଲା। ଏଥିରେ ଦୀପକ ଗୁରୁତର ଆହତ ହୋଇ କୋମାକୁ ଚାଲି ଯାଇଥିଲେ। ଦୀପକ ଭଲ ହୋଇଯିବ ଆଶାରେ ପରିବାର ଲୋକେ ତାଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରର ବଡ଼ ବଡ଼ ମେଡିକାଲରେ ଚିକିତ୍ସା କରାଇ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଥିଲେ। ଏହାସହ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଘରେ ଦୀପକଙ୍କ ଚିକିତ୍ସା ଜାରି ରଖିଥିବାବେଳେ ଗତକାଲି ସେ ଗୁରୁତର ହୋଇ ପଡ଼ିଥିଲେ। ତେଣୁ ତାଙ୍କୁ ଏକ ଘରୋଇ ନର୍ସିଂହୋମକୁ ନିଆଯାଇଥିଲା। ସେଠାରେ ଦୀପକର ମୃତ୍ୟୁ ଘଟିଥିଲା । ଦୀପକର ମୃତ୍ୟୁରେ ଭାଙ୍ଗି ପଡ଼ି ପରିବାରର ସମସ୍ତେ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଇ ଫିନାଇଲ ପିଇଥିଲେ। ତେବେ ଏ ବିଷୟରେ ଦୀପକର ସାଙ୍ଗ ଓ ପଡ଼ୋଶୀମାନେ ଜାଣିପାରି ରାତି ପ୍ରାୟ ୧୧ଟାରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଂଚି ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେ ସମସ୍ତଙ୍କୁ ଡାକ୍ତରୀ ଚିକିତ୍ସା ଯୋଗାଇ ଦେବା ପରେ ମା’ ଓ ୨ ଭଉଣୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିିଥିବାବେଳେ ବଡ଼ ଭଉଣୀ ଲିଲିଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ପୁଲିସ ଏକ ୟୁଡି କେଶ ରୁଜୁ କରି ଓ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ଏଥି ସହିତ ଦୀପକଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଫ୍ରିଜରରେ ରଖିବାର ବ୍ୟବସ୍ଥା କରାଇଛି। ତାଙ୍କ ପରିବାର ଲୋକେ ସୁସ୍ଥ ହେଲାପରେ ଅନ୍ତିମ ସଂସ୍କାର ପାଇଁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ବିଟିଏମ ଥାନା ଅଧିକାରୀ ସୂଚନା ଦେଇଛନ୍ତି।