ତିନି ଦିନ ଭିତରେ ଓଡ଼ିଶାରେ ପହଞ୍ଚିବେ ପଙ୍ଗପାଳ !

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ାରୁ ମାତ୍ର ୩୦୦ କିଲୋମିଟର ଦୂରରେ ପଙ୍ଗପାଳ ପହଞ୍ôଚ ସାରିଲେଣି। ରାଜସ୍ଥାନରୁ ଆସୁଥିବା ଏହି ଝିଣ୍ଟିକା ଜାତୀୟ କୀଟ ମଧ୍ୟପ୍ରଦେଶ ଦେଇ ଛତିଶଗଡ଼ ରାଜ୍ୟର କୋରିଆ ଜିଲ୍ଲାର ଭରତପୁରକୁ ପହଞ୍ଚି ସାରିଲେଣି। ଝାରସୁଗୁଡ଼ା ଜିଲ୍ଲାର ସୀମାନ୍ତ ଅଞ୍ଚଳରୁ ଭରତପୁରର ଦୂରତା ପ୍ରାୟ ୩ଶହ କିଲୋମିଟର। ଏହି ପଙ୍ଗପାଳମାନେ ଦୈନିକ ପ୍ରାୟ ୧୩୦ରୁ ୧୭୦ କିଲୋମିଟର ଯାତ୍ରା କରିଥାଆନ୍ତି। ଏହି ବେଗରେ ଏହି କୀଟମାନେ ଝାରସୁଗୁଡ଼ା ମୁହାଁ ହେଲେ ମାତ୍ର ଅଢ଼େଇ କି ୩ ଦିନରେ  ଜିଲ୍ଲାକୁ ପ୍ରବେଶ କରିବେ। ଫଳରେ ଏବେ ମାତ୍ର କେଇଟା ଦିନରେ ଝାରସୁଗୁଡ଼ା ଜିଲ୍ଲାକୁ  ପଙ୍ଗପାଳ ମାଡ଼ି ଆସିବାର ଆଶଙ୍କା ଦେଖାଦେଇଛି।

ଏହି ପ୍ରଜାତିର ଝିଣ୍ଟିକା ମାଡ଼ି ଆସୁଥିବା ଶୁଣି ଚାଷୀକୂଳରେ ଭୟର ବାତାବରଣ ଖେଳିଯାଇଛି। ଏହି ଝିଣ୍ଟିକା ଗୁଡ଼ିକ ଧାନ, ପନିପରିବା, ଗଛର ପତ୍ର ଖାଇ ସମ୍ପୂର୍ଣ୍ଣ ନଷ୍ଟ କରିଥାଆନ୍ତି। ଫଳରେ ପଙ୍ଗପାଳ ଝାରସୁଗୁଡ଼ା ସୀମା ଦେଇ ଓଡ଼ିଶା ପଶିବା ପୂର୍ବରୁ  କୃଷି ବିଭାଗ ତଥା ଜିଲ୍ଲା ପ୍ରଶାସନ ଚାଷୀମାନେ କରିଥିବା ବିଭିନ୍ନ ପ୍ରକାରର ଚାଷକୁ କିପରି ରକ୍ଷା କରାଯାଇ ପାରିବ ସେନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଜିଲ୍ଲାର ଚାଷୀକୂଳ କହିଛନ୍ତି। ଅନ୍ୟପଟେ ପଙ୍ଗପାଳ ଆକ୍ରମଣର ମୁକାବିଲା ପାଇଁ କି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କୁ ପଚାରିବାରୁ କହିଛନ୍ତି ସରକାରଙ୍କ ଗାଇଡଲାଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଉଛି।

ଏଥିପାଇଁ ଏକ କଣ୍ଟ୍ରୋଲ ରୁମ୍ ପ୍ରସ୍ତୁତ କରିବା ସହ ଚାଷୀଙ୍କୁ ପଙ୍ଗପାଳ ମୁକାବିଲା ପାଇଁ ପ୍ରଶିକ୍ଷିତ କରାଯାଉଛି। ସେହିପରି ପଙ୍ଗପାଳ ମୁକାବିଲା ପାଇଁ ୨ ଟି ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ମଙ୍ଗଳବାର ଝାରସୁଗୁଡ଼ା ସୀମାନ୍ତ ଅଞ୍ଚଳକୁ ଯାଉଛନ୍ତି। ସେଠାରେ ସେମାନେ କ୍ୟାମ୍ପ କରି ପଙ୍ଗପାଳଙ୍କ ଗତିବିଧି ଉପରେ ନଜର ରଖିବା ସହ ଚାଷୀଙ୍କୁ ପଙ୍ଗପାଳ ମୁକାବିଲା ପାଇଁ ପ୍ରଶିକ୍ଷିତ କରିବେ ବୋଲି ଜିଲ୍ଲାପାଳ ଶ୍ରୀ ସାମଲ ସୂଚନା ଦେଇଛନ୍ତି ।