ବନ୍ଦେ ଉତ୍କଳ ଜନନୀ ଗାନରେ କମ୍ପିଲା ଝାରସୁଗୁଡା

ଝାରସୁଗୁଡା,ଏନ୍ଏନ୍ଏସ୍: କରୋନା ଯୋଦ୍ଧାଙ୍କ ତ୍ୟାଗ ଓ ସେବା ମନୋଭାବ ପ୍ରତି ସମ୍ମାନ ପ୍ରଦର୍ଶନକରି ଶନିବାର ସଂଧ୍ୟା ୫ଟା ୩୦ ମନିଟରେ ସମଗ୍ର ଝାରସୁଗୁଡା ଜିଲ୍ଲାରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଛି । ବନ୍ଦେ ଉତ୍କଳ ଜନନୀ ଗାନରେ ସମଗ୍ର ଝାରସୁଗୁଡା କମ୍ପି ଉଠିଛି। ଝାରସୁଗୁଡା ବିଭିନ୍ନ ସ୍ଥାନରେ ଲୋକେ ସମାଜିକ ଦୂରତା ଅବଳମ୍ବନ, ମାସ୍କ ପରିଧାନ କରି ଏକତ୍ରିତ ହୋଇ ଏହି ସଂଗୀତ ଗାନ କରିଛନ୍ତି। ଏହି ଅବସରରେ ଝାରସୁଗୁଡା ବସଷ୍ଟାଣ୍ଡସ୍ଥିତ ଗାନ୍ଧି ଗୋଲେଇଛକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ପହଂଚି ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି।

ଏହି ସଙ୍ଗୀତ ଗାନ ସମୟରେ ଝାରସୁଗୁଡା ଜିଲ୍ଲାରେ ସମସ୍ତ ପ୍ରକାର ଯାତାୟାତ ବନ୍ଦ ରହିଥିଲା। ସମସ୍ତେ ନିଜନିଜ ସ୍ଥାନରେ ଦଣ୍ଡମାନ ହୋଇ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ଗାନ କରିଥିଲେ। ସେହିପରି ଜିଲ୍ଲାର ସମସ୍ତ ସରକାରୀ ତଥା ଚିକିତ୍ସାଳୟ, ଥାନା, ବେସରକାରୀ କାର୍ଯାଳୟ, ଶିକ୍ଷାନୁଷ୍ଠାନ, ବ୍ୟବସାୟୀକ ପ୍ରତିଷ୍ଠାନ, ସାମାଜିକ ସଙ୍ଗଠନର ମୁଖ୍ୟ ନିଜ ନିଜ ଅନୁଷ୍ଠାନରେ ବନ୍ଦେ ଉତ୍କଳ ଜନନୀ ଗାନର ବ୍ୟବସ୍ଥା କରାଇଥିଲେ।

କରୋନା ଯୋଦ୍ଧାଙ୍କ ତ୍ୟାଗ ଓ ସେବା ପାଇଁ ମଣିଷ ସମାଜ କୋରନା ପରି ଭୟଙ୍କର ମହାମାରିକୁ ପରାଜିତ କରିପାରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ତେଣୁ ତାଙ୍କର ଏହି ସେବା ଓ ତ୍ୟାଗର ଭାଗୀଦାରୀ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଗାଇଡ ଲାଇନ ଅନୁସାରେ କରୋନା ସହ ମୁକାବିଲା କରନ୍ତୁ ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟ ସରକାର କୋରନା ମୁକ୍ତ ରାଜ୍ୟ ଗଠନକରି ରାଜ୍ୟବାସୀଙ୍କୁ ଏକ ସୁସ୍ଥ ସମୃଦ୍ଧ ବାତାବରଣ ଦେବା ପାଇଁ ବହୁ ପରିଶ୍ରମ କରୁଛନ୍ତି। ତାଙ୍କର ସମସ୍ତ ଗାଇଡ ଲାଇନକୁ ଅନୁସରଣ କରି କୋରନା ମୁକ୍ତ ଓ ଏକ ସମୃଦ୍ଧ ଓଡିଶା ଗଠନରେ ଭାଗୀଦାରି ହୁଅନ୍ତୁ ବୋଲି ଶ୍ରୀ ଦାସ କହିଛନ୍ତି। ଏହି ଅବସରରେ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, ଜିଲ୍ଲା ଆରକ୍ଷୀ ଅଧିକାରୀ ରାହୁଲ ପିଆର, ଦୀପାଳି ଦାସ, ଜିଲ୍ଲାସ୍ତରୀୟ ଅଧିକାରୀ, ଡାକ୍ତର ସ୍ୱାସ୍ଥ୍ୟକର୍ମୀ ତଥା ଜିଲ୍ଲାବାସୀମାନେ ଉପସ୍ଥିତ ଥିଲେ।