ଝାରସୁଗୁଡା,ଏନ୍ଏନ୍ଏସ୍ : ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୁତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଗର୍ଭବତୀ ମହିଳା ଓ ଆଶା ଦିଦି ବାରମ୍ବାର ଡାକ୍ତର ଓ ନର୍ସଙ୍କୁ ମା ପେଟରେ ଛୁଆ ଖେଳୁ ନାହିଁ ବୋଲି କହିଥିଲେ ହେଁ ସେମାନେ ଚିକିତ୍ସା କରିବାକୁ ଆସିନଥିଲେ। ଫଳରେ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ବୁଧବାର ରାତିରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ରେଙ୍କୁଲି ଗ୍ରାମରୁ ଜଣେ ମହିଳା ପ୍ରସବ ପାଇଁ ଆସି ପ୍ରଥମେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ। ରାତିରେ ମହିଳାଙ୍କୁ ଯନ୍ତ୍ରଣା ଅଧିକ ହେବାରୁ ପରିବାର ଲୋକେ ଡାକ୍ତର ଏବଂ ନର୍ସଙ୍କ ପାଖକୁ ଯାଇ ଜଣେଇଥିଲେ। ହେଲେ ଛୁଆଟି ମା’ ପେଟ ଭିତରେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ବୋଲି ଡାକ୍ତର କହିଥିଲେ। ପରେ ମା’ ପେଟ ଭିତରେ ଶିଶୁଟି ଖେଳୁ ନ ଥିବା ଆଶା ଦିଦି ନର୍ସମାନଙ୍କୁ ଜଣାଇଥିଲେ ହେଁ କେହି କିଛି ଶୁଣି ନଥିଲେ।
ଡାକ୍ତର ଓ ନର୍ସଙ୍କ ଏହିପରି ଦାୟିତ୍ୱହୀନତା ଏବଂ ଅବହେଳା ଯୋଗୁଁ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏ ବିଷୟରେ ପଚାରିବାରୁ ସେଭଳି ଖବର ଜାଣି ନ ଥିବା କହିବା ସହ ଏହାର ତଦନ୍ତ କରାଯାଇ କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।