ଝାରସୁଗୁଡା,ଏନ୍ଏନ୍ଏସ୍ : ଲକ ଡାଉନ ସମୟରେ ଝାରସୁଗୁଡା ଜିଲ୍ଲା ବେଲପାହାଡ ଅଂଚଳରୁ ନିଜ ଘର ବିହାରକୁ ଫେରୁଥିବା ପ୍ରାୟ ୫୦ ଜଣ ଲୋକଙ୍କୁ ବ୍ରଜରାଜନଗର ପୁଲିସ ଶୁକ୍ରବାର ସଂଧ୍ୟାରେ ଅଟକ କରିଛି। ଲକ ଡାଉନ ନିୟମ ଉଲଙ୍ଘନ କରି ୫୦ ଜଣ ଏକା ସାଙ୍ଗରେ ଲୁଚିଛୁପି ବିହାର ଯାଉଥିବାରୁ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରଜରାଜନଗର ଥାନା ଅଧିକାରୀ ଲଳିତା ମୋଦୀ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ବର୍ତ୍ତମାନ ସେମାନଙ୍କୁ ସ୍ଥାନୀୟ ଗଣ୍ଡଘୋରାର ନୋଡାଲ ହାଇସ୍କୁଲରେରେ ରଖାଯାଇଛି। ସେମାନେ ଝାରସୁଗୁଡା ଜିଲ୍ଲାର ବେଲପାହାଡ, ବ୍ରଜରାଜନଗର ଅଂଚଳରେ ରହି ଡ୍ରାଇଭର, ହେଲପର ତଥା ଅନ୍ୟାନ୍ୟ କାମ କରୁଥିଲେ। ହେଲେ ଲକଡାଉନ ପାଇଁ ସବୁ ବନ୍ଦ ହେବାରୁ ଆଜି ସଂଧ୍ୟାରେ ଏକ ଟ୍ରକରେ ବିହାରକୁ ଯାଉଥିଲେ। ଟ୍ରକଟି ଗାନ୍ଧିଛକ ନିକଟରେ ପୁଲିସ ହାବୁଡରେ ପଡିଥିଲା। ପୁଲିସର ପଚାରା ଉଚୁରା ସମୟରେ ଲକଡାଉନ ପାଇଁ କାମ ବନ୍ଦ ହୋଇଯାଇଥିବାରୁ ସେମାନେ ଘରକୁ ପଲାଉଥିବା କହିଛନ୍ତି।