ଝାରସୁଗୁଡ଼ାରେ ପୁଣି ୮ କରୋନା ପଜିଟିଭ ଚିହ୍ନଟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଆଜି ପୁଣି ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବ୍ରଜରାଜନଗର ଅଞ୍ଚଳରୁ ୫ ଜଣ, ଶଙ୍କର ହୋଟେଲ ଇନ୍ଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନ ସେଣ୍ଟରରୁ ୨ ଜଣ ଓ ଏକତାଲି ଅଞ୍ଚଳର ଜଣେ ଚିହ୍ନଟ ହୋଇଛନ୍ତି। ବ୍ରଜରାଜନଗରରେ ଚିହ୍ନଟ ହୋଇଥିବା କରୋନା ପଜିଟିଭମାନେ ବିହାରର ନାଳନ୍ଦାରୁ ଗତ ୧୫ ତାରିଖରେ ଫେରିଥିଲେ। ସେହିପରି ଏକାତାଲିରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଜଣକ ରାଜସ୍ଥାନରୁ ଗତ ୧୩ ତାରିଖ ଆସିଥିଲେ। ଶଙ୍କର ହୋଟେଲରେ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ୧୪ ତାରିଖରେ ଦିଲ୍ଲୀରୁ ଓ ଅନ୍ୟଜଣକ ୧୨ ତାରିଖରେ ମହାରାଷ୍ଟ୍ରରୁ ଫେରିଥିଲେ।

ଏହି ସମସ୍ତ ଆକ୍ରାନ୍ତଙ୍କ ସ୍ୱାବ ୧୯ ତାରିଖ ଦିନ ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ପଠାଯାଇଥିଲା। ଆଜି ସେମାନଙ୍କର ରିପୋର୍ଟ ପଜିଟିଭ ଆସିବାପରେ ତାଙ୍କୁ ଝାରସୁଗଗୁଡ଼ା ମଙ୍ଗଳବଜାରସ୍ଥିତ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ସହ ଶିଶୁମାନଙ୍କୁ କୋଭିଡ କୋୟାର ସେଣ୍ଟରରେ ରଖି ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯାଉଥିବା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି।  ଏବେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୮ ଜଣ ସୁସ୍ଥହୋଇ ଫେରିଥିବାବେଳେ ୪୩ ଜଣ ସକ୍ରିୟ ଅଛନ୍ତି।