ରକ୍ତାଭାବ ଦୂର ପାଇଁ ବିଜେପିର ଦାବିପତ୍ର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଜିଲ୍ଲା ରକ୍ତଭଣ୍ଡାରରେ ରକ୍ତାଭାବ ଦୂର କରିବା ପାଇଁ ବିଜେପି ଯୁବମୋର୍ଚ୍ଚା ଝାରସୁଗୁଡା ପକ୍ଷରୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଯୁବମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ, ଜିଲ୍ଲାରେ ଏବେ ବଢ଼ି ଚାଲିଥିବା କୋଭିଡ ସଂକ୍ରମଣ ଯୋଗୁଁ ରକ୍ତାଭାବ ଦେଖା ଦେବାର ଆଶଙ୍କା ରହିଛି। ଏହାସହ ସରକାର ଏବେ ୧୪ ଦିନ ପାଇଁ ଲକଡାଉନ ମଧ୍ୟ ଘୋଷଣା କରିଛନ୍ତି । ଯାହାଦ୍ୱାରା ରକ୍ତଦାନ ଶିବିର ଆୟୋଜନ କରିହେବା ନାହିଁ। ସେହିପରି ଜିଲ୍ଲାରେ ଏବେ ୧୮ ବର୍ଷରୁ ଊର୍ଦ୍ଧ ବ୍ୟକ୍ତିଙ୍କର ଟିକାକରଣ ଆରମ୍ଭ ହେବ। ଫଳରେ ଯେଉଁମାନେ ଟିକା ଗ୍ରହଣ କରିବେ ୬୦ ଦିନ ଯାଏଁ ରକ୍ତଦାନ କରିପାରିବେ ନାହିଁ । ଫଳସ୍ୱରୁପ ଜିଲ୍ଲାରେ ରକ୍ତଭାବ ଦେଖାଦେବ ଏବଂ ସାଧାରଣ ରୋଗୀ ପ୍ରଭାବିତ ହେବେ । ତେଣୁ ରକ୍ତଅଭାବର ପରିସ୍ଥିତି ଦେଖାଦେବା ପୂର୍ବରୁ ଆବଶ୍ୟକ ମୁତାବକ ରକ୍ତ ଗଚ୍ଛିତ ରଖାଯାଉ ବୋଲି ବିଜେପି ଯୁବମୋର୍ଚ୍ଚାପକ୍ଷରୁ ସିଡିଏମଓଙ୍କ ନିକଟରେ ଦାବି କରାଯାଇଛି। ସେହିପରି ଜିଲ୍ଲାରେ ଟିକାକରଣ କେନ୍ଦ୍ର ବୃଦ୍ଧି କରି ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମଧ୍ୟ ଦାବି କରିଛି। ଏହି ଅବସରରେ ବିଶ୍ୱଜିତ ଷଡ଼ଙ୍ଗୀ, ପୁରୁଷୋତ୍ତମ ଥିରାନି, କୃଷ୍ଣମୁରାରୀ ସିଂ, ମନୋଜ କଲେତ ଏବଂ ସଂଗଠନର ସଦସ୍ୟମାନେ ଉପସ୍ଥିତି ଥିଲେ ।