ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବେଦାନ୍ତ ପକ୍ଷରୁ ଏହାର ପରିପାର୍ଶ୍ୱିକ ୨୭ଟି ଗ୍ରାମରେ ହସ୍ତ ପ୍ରକ୍ଷାଳନ ଏବଂ ସ୍ୱଚ୍ଛତା ନେଇ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡାସ୍ଥିତ ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଳିତ ସହଭାଗିତାରେ ଏହି ଅଭିଯାନ ୧୫ ଅକ୍ଟୋବରରୁ ଆରମ୍ଭ ହୋଇ ୩୦ ଅକ୍ଟୋବରରେ ସମାପ୍ତ ହୋଇଛି। ଏଥିରେ ଅଞ୍ଚଳର ତିନି ହଜାର ହିତାଧିକାରୀ ଭାଗନେଇ ଲାଭାନ୍ୱିତ ହୋଇଛନ୍ତି। ସାମ୍ପ୍ରତିକ କୋଭିଡ-୧୯ର ବ୍ୟାପକତାକୁ ଦୃଷ୍ଟିରେ ରଖି କମ୍ପାନୀର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ( ଏମଏଚୟୁ)ର ସ୍ୱାସ୍ଥ୍ୟ ସେବା କର୍ମୀମାନେ ହସ୍ତ ପ୍ରକ୍ଷାଳନର ଆବଶ୍ୟକତା ଏବଂ ସଠିକ ଭାବେ କିପରି କରିହେବ ସେନେଇ ପାର୍ଶ୍ୱବର୍ତ୍ତୀ ୨୭ଟି ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହା ସହିତ ସୂଚନାତ୍ମକ ସାମଗ୍ରୀ ତଥା ଅଡିଓ- ଭିଡିଓ ଗାଇଡ଼ ମଧ୍ୟ ଗୋଷ୍ଠୀ ସମୁଦାୟଙ୍କୁ ବିତରଣ କରାଯାଇଥିଲା ।
ଏହି ପରିପ୍ରେକ୍ଷୀରେ ବେଦାନ୍ତ ଝାରସୁଗୁଡାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସିଏନ୍ ସିଂହ କହିଛନ୍ତି ଯେ, ଅଞ୍ଚଳବାସୀଙ୍କ ଆବଶ୍ୟକତା ତଥା ସାମାଜିକ-ଅର୍ଥନୈତିକ ବିକାଶକୁ ଦୃଷ୍ଟିରେ ରଖି ବେଦାନ୍ତ ପକ୍ଷରୁ ବହୁ ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପ ହାତକୁ ନିଆଯାଇଛି। ସାମାଜିକ ଦାୟିତ୍ୱକୁ ତୁଲାଇବା ଦିଗରେ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ଏକ ପ୍ରମୁଖ ବିଷୟ ବସ୍ତୁ ଓ ଆମର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ବାର୍ଷିକ ପ୍ରାୟତଃ ୩୭ ହଜାର ହିତାଧିକାରୀଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।