ବଦଳିଲା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ସମୟ ସାରିଣୀ

ଅନିଶ୍ଚିତତାରେ ମୁମ୍ବାଇ ଓ ବେଙ୍ଗାଲୁରୁ ବିମାନ ସେବା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଆଜିଠାରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଚଳାଚଳ କରୁଥିବା ବିମାନର ଉଡାଣ ଓ ଅବତରଣ ସମୟ ସାରିଣୀ ପରିବର୍ତ୍ତନ ହୋଇଛି। ନୂତନ ସମୟ ସାରିଣୀ ଅନୁସାରେ ସ୍ପାଇସଜେଟ କୋଲକାତାରୁ ଅପରାହ୍ଣ ୩ଟାରେ ବାହାରି ୪ଟା ୧୫ ମିନିଟରେ ଝାରସୁଗୁଡ଼ାରେ ପହଞ୍ଚିବ। ପୁଣି ଝାରସୁଗୁଡ଼ାରୁ ୪.୪୦ ମିନିଟରେ ଛାଡ଼ି ୬ଟା ୨୫ ମିନିଟରେ କୋଲକାତାରେ ପହଞ୍ଚିବ। ଦିଲ୍ଲୀରୁ ଅପରାହ୍ନ ୩ଟା ୧୦ରେ ଛାଡ଼ି ୫ଟା ୧୦ରେ ଝାରସୁଗୁଡ଼ାରେ ପହଞ୍ଚିବ, ପୁଣି ୫ଟା ୫୦ରୁ ବାହାରି ରାତି ୮ଟା ୫ରେ ଦିଲ୍ଲୀରେ ପହଞ୍ଚିବ। ଅନୁରୂପ ଭାବରେ ହାଇଦ୍ରାବାଦରୁ ଅପରାହ୍ନ ୩ଟା ୨୫ରେ ବାହାରି ୫ଟା ୧୦ରେ ଝାରସୁଗୁଡ଼ାରେ ପହଞ୍ଚିବ। ପୁଣି ୫ଟା ୪୦ରେ ବାହାରି ୭ଟା ୩୦ରେ ହାଇଦ୍ରାବାଦରେ ପହଞ୍ଚିବ। ସେହିପରି ଏୟାର ଇଣ୍ଡିଆର ସହଯୋଗୀ ଏଲାୟନ୍ସ ଏୟାର କୋଲକାତାରୁ ଝାରସୁଗୁଡ଼ାକୁ ସକାଳ ୯ଟା ୩୦ ରେ ଆସି ପହଞ୍ଚିବ ଓ ୧୦ଟା ୫ରେ ଭୁବନେଶ୍ୱର ଯାତ୍ରା କରିବ। ଭୁବନେଶ୍ୱରୁ ୧୨ଟା ୫୦ରେ ଆସି ୧ଟା ୧୫ ରାୟପୁରକୁ ଯାତ୍ରା କରିବ। ପୁଣି ରାୟପୁରୁ ୩ଟା ୧୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଆସି ୪ଟାରେ କୋଲକାତାକୁ ଉଡାନ ଭରିବ। ଏହି ନୂତନ ସମୟ ସାରିଣି ଆସନ୍ତା ବର୍ଷ ୨୭ ମାର୍ଚ୍ଚ ପର୍ଯ୍ୟନ୍ତ ଲାଗୁ ରହିବ।

ଅନ୍ୟପଟେ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁ ବିମାନ ସେବା ଅନିଶ୍ଚିତତା ଘେରରେ ରହିଛି। ଦୀର୍ଘ ଦିନ ଧରି ଲୋକେ ଏହି ଦୁଇଟି ସହରକୁ ବିମନ ଚଳାଚଳ ପାଇଁ ଦାବି କରି ଆସୁଥିଲେ ହେଁ ସେବା ଆରମ୍ଭ ପାଇଁ ବିଳମ୍ବ ହେଉଛି। ଉଡ଼ାନ ସ୍କିମ ଜରିବାରେ ଝାରସୁୁଗୁଡ଼ାରୁ ସିଧାସଳଖ ମୁମ୍ବାଇ ଓ ବେଙ୍ଗାଲୁରୁକୁ ବିମାନ ଚଳାଚଳ କରିବାକୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ଟାଇମ ସ୍ଲଟ ମଧ୍ୟ ମଗା ଯାଇଥିଲା। ହେଲେ ଏବେ ମାତ୍ର ୭୦ ପ୍ରତିଶତ ବିମାନ ସମଗ୍ର ଭାରତରେ ଚଳାଚଳ କରିବାକୁ ଅନୁମତି ମିଳିଛି। ସମସ୍ତ ବିମାନ ସ୍ୱଭାବିକ ଭାବରେ ଚଳାଚଳ କରିବାପରେ ହୁଏତ ଝାରସୁଗୁଡ଼ାରୁ ଏହି ଦୁଇ ସହରକୁ ବିମାନ ଚଳାଚଳ କରିବାକୁ ସରକାର ନିଷ୍ପତି ନେଇ ପାରନ୍ତି ବୋଲି ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି କହିଛନ୍ତି।