ଝାରସୁଗୁଡ଼ାରେ ୩୧୬ ପଜିଟିଭ ଚିହ୍ନଟ: ବଢୁଛି ସଂକ୍ରମଣ, ଜଳୁଛି ଚିତା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନାର ଦ୍ୱିତୀୟ ଲହରୀରେ ଝାରସୁଗୁଡ଼ା ଜିଲ୍ଲାରେ ହୁହୁ ହୋଇ ସଂକ୍ରମଣ ବଢୁଥିବାବେଳେ ପ୍ରତିଦିନ ପ୍ରାୟ ୩ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ପ୍ରତିଦିନ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ତେବେ ସରକାରୀସ୍ତରରେ ମୃତକଙ୍କ ସଂଖ୍ୟା ଦର୍ଶାଯାଉ ନଥିବାବେଳେ କିନ୍ତୁ ଝାରସୁଗୁଡା ଏଚ୍ କଣ୍ଟାପାଲିଠାରେ କରୋନା ଆକ୍ରାନ୍ତ ଶବଦାହ ପାଇଁ ତିଆରି କରାଯାଇଥିବା ଶ୍ମସାନରେ ନିଆଁ ଲିଭିବାର ନା ନେଉନାହିଁ। ଏକା ସାଙ୍ଗରେ ଦୁଇ ଦୁଇଟି ମୃତଦେହକୁ ପିପିଇ କିଟ ପିନ୍ଧି ସମ୍ପର୍କୀୟ ମୁଖାଗ୍ନି ଦେଉଥିବାବେଳେ ଆଉ ଏକ କୋଭିଡ ଆକ୍ରାନ୍ତଙ୍କ ମୃତଦେହର ଅନ୍ତିମକ୍ରିୟା ପାଇଁ କାଠ ସଜାଡା ଯାଇଥିବା ଦୃଶ୍ୟ ଝାରସୁଗୁଡାରେ କରୋନାର କରୁଣ କାହାଣିକୁ ପ୍ରତିଫଳିତ କରୁଛି। ସ୍ଥାନୀୟଲୋକଙ୍କ କହିବା ଅନୁସାରେ ଏଠାରେ ପ୍ରତିଦିନ କୋରନା ଆକ୍ରାନ୍ତଙ୍କ ଶବଦାହ ଦେଖିବାକୁ ମିଳୁଛି।

ଝାରସୁଗୁଡା ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୩୧୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳରୁ ୧୨୨ଜଣ, ବେଲପାହାଡ଼ ପୌରପରିଷଦ ଅଞ୍ଚଳରୁ ୧୪ଜଣ, ବ୍ରଜରାଜନଗର ପୌରପରିଷଦରୁ ୩୧ଜଣ, ଝାରସୁଗୁଡା ବ୍ଲକରୁ ୩୩ଜଣ, ଲଖନପୁର ବ୍ଲକରୁ ୯ଜଣ, ଲଇକେରା ବ୍ଲକରୁ ୨୬ଜଣ, କୋଲାବିରା ବ୍ଲକରୁ ୪୦ଜଣ, କିର୍ମିରା ବ୍ଲକରୁ ୧୧ ଜଣ ରହିଥିବାବେଳେ ବାହାର ଜିଲ୍ଲାର ହସ୍ପିଟାଲରେ ୩୧ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଅନ୍ୟପଟେ ଝାରସୁଗୁଡାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାବେଳେ ସମସ୍ତେ ଗୃହ ସଙ୍ଗରୋଧରେ ଥିବା ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି।