ଲକଡାଉନ୍ ସୁଯୋଗ ନେଇ ଗଣଦୁଷ୍କର୍ମ : ଭିଡିଓ ଭାଇରାଲ ହେବାପରେ ତଦନ୍ତ ଆରମ୍ଭ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବସ୍ଷ୍ଟାଣ୍ଡ ପାଖରେ ଥିବା ରେଳ ବିଭାଗର ଏକ ପରିତ୍ୟକ୍ତ ଘରେ ଜଣେ ଯୁବତୀଙ୍କୁ ଦୁଇଜଣ ଯୁବକ ଦୁଷ୍କର୍ମ କରୁଥିବା ଏକ ଭିଡିଓ ଭାଇରାଲ ହୋଇଛି। ତେବେ ଏନେଇ ରେଳବାଇ ଥାନାରେ କୌଣସି ଅଭିଯୋଗ ହୋଇନଥିଲେ ହେଁ ଭିଡିଓ ଭାଇରାଲ ହେବା ପରେ ରେଳବାଇ ପୁଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଛାନଭିନ ଆରମ୍ଭ କରିଥିବା ରେଳବାଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଲକଡାଉନ ଚାଲିଥିବାରୁ ଗତ ଗୁରୁବାର ଦିନ ଦ୍ୱିପହରେ ବସଷ୍ଟାଣ୍ଡ ଅଂଚଳ ଶୁନଶାନ ରହିଥିଲା।

ଏହାର ସୁଯୋଗ ନେଇ ସେଠାରେ ଥିବା ରେଳ ବିଭାଗର ଏକ ପରିତ୍ୟକ୍ତ ଘରେ ଦୁଇଜଣ ଯୁବକ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରୁଥିଲେ। ଯୁବତୀ ଜଣକ ଏହାକୁ ବିରୋଧ କରିବାରୁୁ ତାଙ୍କୁ ଦୁର୍ବୃତ୍ତମାନେ ମାଡପିଟ ମଧ୍ୟ କରୁଥିବାର ଦୃଶ୍ୟ ଭିଡିଓଟିରେ ଜଣାପଡୁଛି। ଯୁବତୀର ଚିତ୍କାର ଶୁଣି କିଛି ସ୍ଥାନୀୟ ଯୁବକ ସେଠାକୁ ପହଞ୍ଚିବାପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ତେବେ ଭାଇରାଲ ହୋଇଥିବା ଭିଡିଓରେ ଉଭୟ ଦୁଷ୍କର୍ମକାରୀ ଏବଂ ପୀଡିତାଙ୍କୁ ଚିହ୍ନି ହେଉଛି। ଜଣେ ଦୁଷ୍କର୍ମକାରୀ ବସଷ୍ଟାଣ୍ଡ ଅଞ୍ଚଳରେ ରହୁଥିବାବେଳେ ସେ ପୂର୍ବରୁ ହତ୍ୟା ପରି ସଙ୍ଗୀନ ମାମଲାରେ ଗିରଫ ହୋଇଥିବା ଜଣାପଡିଛି। ତେବେ ଭାଇରାଲ ଭିଡିଓକୁ ଭିତ୍ତିକରି ରେଳବାଇ ପୁଲିସ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି।