ଝାଡ଼ଖଣ୍ଡର ସର୍ବୋଚ୍ଚ ‘ରୋପ୍‌-ୱେ’ରେ ଦୁର୍ଘଟଣା; ଜଣେ ମୃତ, ୪୮ରୁ ଊର୍ଦ୍ଧ୍ୱ ଫସିଲେ

ରାଞ୍ଚି,ଏଜେନ୍ସି: ଝାଡ଼ଖଣ୍ଡର ସବୁଠାରୁ ଉଚ୍ଚ ‘ରୋପ୍‌-ୱେ’ରେ ଆଜି ସକାଳୁ ଦୁର୍ଘଟଣା ଘଟିଛି । ତ୍ରିକୁଟ ରୋପ-ୱେର ଟ୍ରଲି ଧକ୍କା ହେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ପାଖାପାଖି ୪୮ ଜଣ ଲୋକ ରୋପ-ୱେରେ ଫସିଥିଲେ । ଫସିଥିବା ଲୋକଙ୍କୁ ବାହାର କରିବା ପାଇଁ ଏନଡିଆରଏଫ ଟିମ୍ ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି । ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । 

ତ୍ରିକୁଟ ପାହାଡ଼ରେ ପରିଚାଳିତ ‘ରୋପ୍‌-ୱେ’ର ଅନେକ ଟ୍ରଲି ନିଜ ନିଜ ଭିତରେ ଧକ୍କା ହୋଇଥିଲା । ଏଥିରେ ପ୍ରାୟ ୬ ଜଣ ଆହତ ହୋଇଛନ୍ତି । ମୋହନପୁର ଥାନା ଅନ୍ତଗର୍ତ ତ୍ରିକୁଟ ପାହାଡ଼ ‘ରୋପ୍‌-ୱେ’ର ଟ୍ରଲିଗୁଡ଼ିକ ଭିତରେ ଧକ୍କା ହୋଇଥିଲା । ଆହତମାନଙ୍କ ମଧ୍ୟରେ ମହିଳା ଓ ଛୋଟ ଶିଶୁ ମଧ୍ୟ ସାମିଲ ଅଛନ୍ତି । 

ରାମନବମୀକୁ ନେଇ ପୂଜା କରିବାକୁ ଓ ବୁଲୁବାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଏଠାକୁ ଆସିଥିଲେ । ‘ରୋପ-ୱେ’ ଦୁର୍ଘଟଣାରେ ୧୯ଟି ଟ୍ରଲିରେ ୪୮ ଜଣ ଲୋକ ଫସିଥିଲେ । ଏନଡିଆରଏଫ ଟିମ୍ ସେମାନଙ୍କୁ ଓହ୍ଲାଇବା ପାଇଁ ଉଦ୍ୟମ କରୁଛି । ଏସ୍‌ପି ସୁଭାଷ ଚନ୍ଦ୍ର ଜାଠ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ମଂଜୁନାଥ ଭୈଞ୍ଜତ୍ରୀ ଏହି ସୂଚନା ଦେଇଛନ୍ତି ।