ବିଜେପି ହାତରୁ ଗଲା ଝାଡ଼ଖଣ୍ଡ: ଜେଏମ୍ଏମ୍-କଂଗ୍ରେସ ମେଣ୍ଟ ଗଢ଼ିବ ସରକାର

  • ହେମନ୍ତ ସୋରେନ୍ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିଜେପି ହାତରୁ ଗଲା ଝାଡ଼ଖଣ୍ଡ ସରକାର। ଜେଏମ୍ଏମ୍ ନେତା ହେମନ୍ତ ସୋରେନ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ। ବିଧାନସଭା ନିର୍ବାଚନ ଫଳାଫଳରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ଓ କଂଗ୍ରେସ ମେଣ୍ଟ ବହୁମତ ଲାଭ କରିଛି। ୮୧ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଠନ କରିବା ପାଇଁ ୪୧ ଆସନ ଆବଶ୍ୟକ ଥିବାବେଳେ ଜେଏମ୍ଏମ୍-କଂଗ୍ରେସ ୪୬ ଆସନ ଦଖଲ କରିସାରିଛନ୍ତି।

ବିଜେପିକୁ ୨୫ଟି ଆସନ ମିଳିଥିବାବେଳେ ବାବୁଲାଲ ମାରାଣ୍ଡିଙ୍କ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା (ଜେଭିଏମ୍) ୩, ଆଜସୁ ୩ ଓ ଅନ୍ୟମାନେ ୪ଟି ଆସନ ପାଇବାରେ ସକ୍ଷମ ହୋଇଛନ୍ତି। ବିଗତ ୨୪ ବର୍ଷ ଧରି ଝାଡ଼ଖଣ୍ଡ ବିଜେପିର ଅପ୍ରତିଦ୍ୱନ୍ଦ୍ୱୀ ରାଜନେତା ରଘୁବର ଦାସ ଚଳିତ ନିର୍ବାଚନରେ ହାରିଯିବା ଦଳ ପାଇଁ ଲାଗିଛି ଶକ୍ତ ଝଟକା। ନିର୍ବାଚନ କମିଶନ ଚୂଡ଼ାନ୍ତ ପରିଣାମ ଘୋଷଣା କରିବା ପୂର୍ବରୁ ଜେଏମ୍ଏମ୍ ଓ କଂଗ୍ରେସ ଶିବିରରେ ହସଖୁସିର ଆସର ଜମିଛି। ଜେଏମ୍ଏମ୍ ମୁଖ୍ୟ ହେମନ୍ତ ସୋରେନ ବିଜୟ ଲାଭ କରିବା ପରେ ତାଙ୍କ ବାପା ଶିବୁ ସୋରେନଙ୍କ ନିକଟକୁ ଯାଇ ଆଶୀର୍ବାଦ ନେଇଛନ୍ତି। ସେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ନିଶ୍ଚିତ ପ୍ରାୟ।

ଅନ୍ୟପକ୍ଷରେ ବିଜେପି କାର୍ଯ୍ୟାଳୟରେ ନୈରାଶ୍ୟର ମାହୋଲ। ଗତବର୍ଷ ବିଜେପି ହାତରୁ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଚାଲିଯାଇଥିଲାବେଳେ ଏ ବର୍ଷ ଝାଡ଼ଖଣ୍ଡ ଚାଲିଗଲା। ମହାରାଷ୍ଟ୍ରରେ ସର୍ବାଧିକ ଆସନ ପାଇଁ ମଧ୍ୟ ବିଜେପି ସରକାର ଗଠନ କରିପାରିଲା ନାହିଁ। ଗତ ଲୋକସଭା ନିର୍ବାଚନରେ ଝାଡ଼ଖଣ୍ଡର ୧୪ ଲୋକସଭା ଆସନ ଭିତରୁ ବିଜେପି ୧୧ଟି ଦଖଲ କରିଥିଲା।

ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ବିଜୟ ଶାସ୍ତ୍ରୀଙ୍କ ସୂଚନା ମୁତାବକ ବିଜେପି ୬୫ ଆସନ ପାଇବା ଆଶା କରିଥିଲା। କିନ୍ତୁ ଲୋକଙ୍କୁ ମନାଇବାରେ ବିଫଳ ହେବାରୁ ଏଭଳି ଦଶା ଭୋଗିଲା। ସେ ପୂର୍ବରୁ କହିଥିଲେ, ବିଜେପି ସବୁବେଳେ ଛୋଟଛୋଟ ରାଜନୈତିକ ଦଳଗୁଡ଼ିକୁ ଗୁରୁତ୍ୱ ଦେଇଆସିଛି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ ୟୁନିଅନ (ଆଜସୁ) ମୁଖ୍ୟ ସୁଦେଶ ମାହାତୋଙ୍କ ସହ ମନାନ୍ତର ଘଟିଲା। ନିର୍ବାଚନ ଶେଷ ମୁହୂର୍ତ୍ତରେ ବିଜେପି ବାବୁଲାଲ ମାରାଣ୍ଡିଙ୍କ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା ସହ ହାତ ମିଳାଇବାକୁ ଉଦ୍ୟମ କରିଥିଲା।