ଝାଡ଼ଖଣ୍ଡ ନିର୍ବାଚନ: ଚାଷୀଙ୍କୁ ରାହୁଲଙ୍କ ଋଣଛାଡ଼ ପ୍ରତିଶ୍ରୁତି

ରାଂଚି, ଏଜେନ୍ସି : ଝାଡ଼ଖଣ୍ଡରେ କଂଗ୍ରେସ ମେଣ୍ଟ କ୍ଷମତାସୀନ ହେଲେ, ଚାଷୀଙ୍କୁ ୨ ଲକ୍ଷ ଟଙ୍କା ଋଣଛାଡ଼ କରିବାକୁ ରାହୁଲ ଗାନ୍ଧୀ ପ୍ରତିଶ୍ରୁତି ଦେଇଛନ୍ତି। ତା’ ସହିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୫୦୦ ଟଙ୍କା କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ଗୁରୁବାର ଝାଡ଼ଖଣ୍ଡରେ ତୃତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଚାଲିଥିଲାବେଳେ ରାହୁଲ ରାଜମହଲ ଓ ମହାଗାମାରେ ଦୁଇଟି ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ଝାଡ଼ଖଣ୍ଡରେ କଂଗ୍ରେସ, ଆରଜେଡି ଓ ଜେଏମ୍ଏମ୍ ମିଳିତ ଭାବେ ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି। ରାଜମହଲ ନିର୍ବାଚନୀ ସଭାରେ ଯୋଗଦେଇ ରାହୁଲ ଜେଏମ୍ଏମ୍ ପ୍ରାର୍ଥୀ କେତୁବୁଦିନ ଶେଖଙ୍କ ସପକ୍ଷରେ ଭୋଟ ଦେବାକୁ ଅନୁରୋଧ କରିଥିଲେ।

ଉପସ୍ଥିିତ ଜନତାଙ୍କୁ ରାହୁଲ କହିଛନ୍ତି, ‘ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର କ୍ଷମତାସୀନ ହେବାପରେ ଚାଷୀଙ୍କ ଋଣଛାଡ଼ କରିଥିଲେ। ସେହିପରି ଝାଡ଼ଖଣ୍ଡରେ କଂଗ୍ରେସ, ଜେଏମ୍ଏମ୍ ଓ ଆରଜେଡି ମେଣ୍ଟ କ୍ଷମତାସୀନ ହେଲେ, ଚାଷୀଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣଛାଡ଼ କରିବ। ତା’ ସହିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୫୦୦ ଟଙ୍କା କରାଯିବ।’ ଦେଶରେ ବେରୋଜଗାରଙ୍କ ସଂଖ୍ୟା ବୃଦ୍ଧି ପାଇବା ପଛରେ ସେ ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ଦାୟୀ କରିଛନ୍ତି।

ଦେଶର ମାତ୍ର ୧୦ରୁ ୧୫ ଜଣ ଶିଳ୍ପପତିଙ୍କ ଫାଇଦା ପାଇଁ ବିଜେପି ସରକାର କାମ କରୁଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ଗରିବ ଆଦିବାସୀଙ୍କୁ ଜମି ଓ ଜଙ୍ଗଲ ସୁରକ୍ଷା ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ପ୍ରତିଶ୍ରୁତି ଦିଆଯାଇଛି। ସେହିପରି ଗୋଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ମହାଗାମା ବ୍ଲକରେ ଅନୁଷ୍ଠିତ ଜନ ସମାବେଶରେ ଯୋଗ ଦେଇ ରାହୁଲ କଂଗ୍ରେସ ପ୍ରାର୍ଥୀ ଦୀପିକା ପାଣ୍ଡେଙ୍କ ପାଇଁ ଭୋଟ କାମନା କରିଛନ୍ତି। ଡିସେମ୍ବର ୨୦ରେ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ।