ଝାଡ଼ଖଣ୍ଡ ନିର୍ବାଚନ ବେଳେ ହିଂସାକାଣ୍ଡ : ପୁଲିସ ଗୁଳିରେ ଜଣେ ମୃତ

 ରାଂଚି,ଏଜେନ୍ସି : ଝାଡ଼ଖଣ୍ଡରେ ଶନିବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ସିସାଇ ବିଧାନସଭା ନିର୍ବାଚନମଣ୍ଡଳୀର ଏକ ଭୋଟଗ୍ରହଣ କେନ୍ଦ୍ରରେ ହିଂସାକାଣ୍ଡ ଘଟିବାରୁ ପୁଲିସ ଗୁଳିରେ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୨ ଜଣ ଆହତ ହୋଇଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗୁମଲା ଜିଲ୍ଲାର ବଧନି ଗାଁରେ ୩୬ ନମ୍ବର ବୁଥରେ ଏଭଳି ଘଟଣା ଘଟିଛି। ଝାଡ଼ଖଣ୍ଡ ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ ଚୌବେ କହିଛନ୍ତି, ଗ୍ରାମବାସୀମାନେ ଭୋଟଗ୍ରହଣ କେନ୍ଦ୍ରରେ ମୁତୟନ ଥିବା ର୍ୟାପିଡ୍ ପ୍ରୋଟେକ୍ସନ ଫୋର୍ସ (ଆରପିଏଫ୍)ର ଯବାନଙ୍କଠାରୁ ଅସ୍ତ୍ର ଛଡ଼ାଇନେବାକୁ ଉଦ୍ୟମ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବାକୁ ଯାଇ ପୁଲିସ ଗୁଳି ଚଳାଇଥିଲା।

ଏଥିରେ ପ୍ରାଣ ହରାଇଥିବା ଗ୍ରାମବାସୀ ଜଣଙ୍କୁ ଚିହ୍ନଟ କରାଯାଇଛି। ସେ ଗିଲାନି ଅନସାରୀ ବୋଲି ଜଣାପଡ଼ିଛି। ଆହତ ଦ୍ୱୟ ହେଲେ ଆସଫାକ୍ ଅନସାରୀ ଓ ଖୁଫା ଅନସାରୀ। ଆହତ ହୋଇଥିବା ୨ ଜଣଙ୍କ ମଧ୍ୟରୁ ଜଣଙ୍କର ଜଙ୍ଘ ଓ ଅନ୍ୟଜଣଙ୍କର କାନ୍ଧରେ ଗୁଳି ବାଜିଛି। ତେବେ ସେମାନେ ବିପଦମୁକ୍ତ ଅଛନ୍ତି। ସେମାନଙ୍କୁ  ରାଂଚି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଭୋଟଗ୍ରହଣ କେନ୍ଦ୍ରରେ ମତଦାନ ସ୍ଥଗିତ ରହିଛି। ଏଠାରେ ସାନି ମତଦାନ ପାଇଁ ଖୁବ୍ଶୀଘ୍ର ଘୋଷଣା କରାଯିବ। ଗ୍ରାମବାସୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ମଧ୍ୟ ଟେକାପଥର ମାଡ଼ କରିଥିଲେ।