ରାଞ୍ଚି,ଏଜେନ୍ସି: ସୋମବାର ସକାଳ ୭ଟାରୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ୟ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ୧୫ଟି ବିଧାନସଭା ଆସନରେ ମତଦାନ ହେଉଛି । ଏହି ମତଦାନ ପ୍ରକ୍ରିୟା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ଓ ଏଥିରେ ଶାନ୍ତି ବଜାୟ ରଖିବା ପାଇଁ ବୁଥ ମାନଙ୍କରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ଝାଡ଼ଖଣ୍ଡରେ ୮୧ଟି ବିଧାନସଭା ଆସନ ଥିବା ବେଳେ ଏ ନେଇ ୫ଟି ପର୍ଯ୍ୟାୟରେ ମତଦାନ ହେବ।
ଡିସେମ୍ବର ୨୦ ତାରିଖରେ ଶେଷ ପର୍ୟ୍ୟାୟ ମତଦାନ ହେବ। ସେହିପରି ଡିସେମ୍ବର ୨୩ ତାରିଖରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ଚତୁର୍ଥ ପର୍ୟ୍ୟାୟରେ ଅନୁଷ୍ଠିତ ହେଉଥିବା ଆଜିର ମତଦାନ ପ୍ରକ୍ରିୟାରେ ଝାଡ଼ଖଣ୍ଡରେ ୨ ଜଣ ମନ୍ତ୍ରୀଙ୍କ ସମେତ ୨୨୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରିତ ହେବ । ମଧୁପରୁ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଶ୍ରମ ମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ରାଜ ପାଲିୱାର ଓ ଜେଏମଏମ ପ୍ରାର୍ଥୀ ହୁସେନ ଅନସାରୀଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ।
ସେହିପରି ପର୍ୟ୍ୟଟନ ବିକାଶ ମନ୍ତ୍ରୀ ଅମନ କୁମାର ବାଉରୀଙ୍କର ବି ଆଜି ଭାଗ୍ୟ ନିର୍ଦ୍ଧାରିତ ହେଉଛି। ଝରିଆ ଆସନରେ ଗୋଟିଏ ପରିବାରରୁ ୨ ଜଣ ମହିଳା ଅବତୀର୍ଣ୍ଣ ହୋଇଛନ୍ତି । ଏଠାରେ ବିଜେପି ଟିକେଟରେ ରାଗିଣୀ ସିଂହଙ୍କ ବିପକ୍ଷରେ କଂଗ୍ରେସର ପୂର୍ଣ୍ଣିମା ନୀରଜ ସିଂହ ପ୍ରାର୍ଥୀ ହୋଇଛନ୍ତି ।