ଘରେ ପ୍ରସବ ପରେ ପ୍ରସୂତୀଙ୍କ ମୃତ୍ୟୁ

ଝରିଗାଁ,ଏନ୍ଏନ୍ଏସ୍ : ନବରଙ୍ଗପୁର ଜିଲ୍ଲା ଝରିଗାଁ’ର ଜଣେ ଗର୍ଭବତୀଙ୍କ ଘରେ ଏକ ଶିଶୁପୁତ୍ରକୁ ଜନ୍ମଦେବା ପରେ ତାଙ୍କର ଅବସ୍ଥା ଶଙ୍କଟାପନ୍ନ ହୋଇଥିଲା। ପରେ ତାଙ୍କୁ ଡାକ୍ତରଖାନା ଆଣିବାବେଳେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଶିଶୁ ଓ ମାତୃ ମୃତ୍ୟୁହାର ରୋକିବାକୁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ହେଁ ପ୍ରଶାସନିକ ଉଦାସୀନତା ହେଉ ଅବା ଜନସାଧାରଣଙ୍କ ସଚେତନତାର ଅଭାବ ପାଇଁ ହେଉ ଉପାନ୍ତ ଅଞ୍ଚଳରେ ଏସବୁ ସୁବିଧା ଅପହଞ୍ଚ ହୋଇରହିଛି। ଝିରଗାଁ’ ବ୍ଲକ ଅନ୍ତର୍ଗତ ଦୁର୍ଗମ ଇଚ୍ଛାପୁର ପଞ୍ଚାୟତ ଢ଼େପଗୁଡ଼ା ଗ୍ରାମର ବାଲି ସାନ୍ତାଙ୍କ ଗର୍ଭବତୀ ପତ୍ନୀ ଶାନ୍ତି ସାନ୍ତା ଏହାର ଏକ ଜ୍ୱଳନ୍ତ ଉଦାହରଣ।

ମିଳିଥିବା ସୂଚନା ଅନୁଯାୟୀ, ଶାନ୍ତି ସାନ୍ତା(୨୫)ସୋମବାର ରାତ୍ରି ୧୧ଟା ବେେଳେ ପ୍ରସବ ବେଦନା ଆରମ୍ଭ ହେବାରେ ପରିବାର ସଦସ୍ୟ ତାଙ୍କୁ ମେଡିକାଲକୁ ନେବା ପରିବର୍ତ୍ତେ ଘରେ ହିଁ ପ୍ରସବ ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ। ତେବେ ଶାନ୍ତି ଏକ ଶିଶୁପୁତ୍ରକୁ ଜନ୍ମଦେବାର କିଛି ସମୟ ପରେ ଅସୁସ୍ଥ ଅନୁଭବ କଲେ, ତେବେ ଶାନ୍ତିଙ୍କୁ ଗୁରୁତର ଅବସ୍ଥାରେ ରାତି ୨ଟା ସମୟରେ ଝରିଗାଁ ଚିକିତ୍ସାଳୟକୁ ଆଣିବାବେଳେ ଡ଼ାକ୍ତର ଶାନ୍ତିଙ୍କୁ ମୃତ ଘୋଷଣ କରିଥିଲେ। ଶାନ୍ତିଙ୍କର ହିମଗ୍ଲୋବିନ ପରିମାଣ ମାତ୍ର ୫ ରହିଥିବାରୁ ରକ୍ତହୀନତା ନେଇ ମୃତ୍ୟୁ ଘଟିଛି ଅବା ଆଉକିଛି କାରଣ ବୋଲି ଝରିଗାଁ ମୁଖ୍ୟ ଚିକିତ୍ସାଧୀକାରୀ ଡ. ପ୍ରକାଶ ନାୟକଙ୍କୁ ଯୋଗାଯୋଗ କରିବାରେ ଘରେ ଅସୁରକ୍ଷିତ ପ୍ରସବ ହିଁ ଗର୍ଭବତୀଙ୍କର ମୃତ୍ୟୁର କାରଣ ବୋଲି ସେ କହିଥିଲେ। ତେବେ ୨ଦିନ ଶିଶୁ ପୁତ୍ରଟିକୁ ଧରି ବାଲି ସାନ୍ତା ତାଙ୍କର ଭରଣପୋଷଣ ଚିନ୍ତାରେ ଚିନ୍ତିତ ରହି ଦୁଃଖରେ ଭାଙ୍ଗିପଡ଼ିଥିବାର ଦେଖିବାକୁ ମିଳିଛି।