ମାନବିକତା ଦେଖାଇଲେ ଜିଲ୍ଲାପାଳ : ଅସହାୟଙ୍କ ଘରେ ପହଞ୍ଚାଇଲେ ଔଷଧ,ଭତ୍ତା

ଝରିଗାଁ,ଏନ୍ଏନ୍ଏସ୍ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଧାମନାଗୁଡ଼ା ପଞ୍ଚାୟତ ନାଗଯୋଡ଼ି ଗ୍ରାମର ରୁକ୍ମଣୀ ସମରଥ(୪୭)ଦୀର୍ଘବର୍ଷ ଧରି ମାନସିକ ରୋଗରେ ପୀଡ଼ିତ ରହିଥିଲେ। ଆଉ ଏହି ମାନସିକ ରୋଗ ନେଇ ପ୍ରତ୍ୟେକ ମାସ ତାଙ୍କୁ ଏକ ଇଞ୍ଜେକସନ୍ ନେବାକୁ ପଡ଼େ। ତେବେ ସମ୍ପ୍ରତ୍ତି ଲକ୍ ଡାଉନ୍ ହେତୁ ଘର ବାହାରକୁ ବାହାରିବା ମନା ଥିବାରୁ, ରୁକ୍ମିଣୀଙ୍କ ସ୍ୱାମୀ ହାଡ଼ିବନ୍ଧୁ ସମରଥ ବିଭିନ୍ନ ଔଷଧ ଦୋକାନରେ ଇଞ୍ଜେକସନ୍ ଖୋଜିଥିଲେ ମଧ୍ୟ ପାଇନଥିଲେ। ତେବେ ଶେଷରେ ହାଡ଼ିବନ୍ଧୁ ମୋବାଇଲ ଯୋଗେ ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ ମିଶ୍ରଙ୍କୁ ନିଜର ଅସହାୟତା ଜଣାଇଥିଲେ।

ଜିଲ୍ଲାପାଳ ସଙ୍ଗେ ସଙ୍ଗେ ଇଞ୍ଜେକସନ୍ ଯୋଗାଡ଼ କରି ଜିଲ୍ଲା ମଙ୍ଗଳାଧିକାରୀ ପବିତ୍ର ମୋହନ ପ୍ରଧାନଙ୍କ ହାତରେ ଗୁରୁବାର ଦିନ ରୁକ୍ମିଣୀଙ୍କ ଘରକୁ ତାହା ପହଞ୍ଚାଇଥିଲେ। ଏହା ଜାଣିପାରି ରୁକ୍ମିଣୀଙ୍କ ପରିବାର ଜିଲ୍ଲାପାଳଙ୍କୁ ଧନ୍ୟବାଦ ଦେଇଥିଲେ। ଜିଲ୍ଲା ମଙ୍ଗଳାଧିକାରୀ ଶ୍ରୀ ପ୍ରଧାନଙ୍କ ସେହି ପରିବାରଙ୍କ ଭଲମନ୍ଦ ଅବସ୍ଥା ବୁଝିବାକୁ ଯାଇ ଜାଣିଥିଲେ ଯେ ହାଡ଼ିବନ୍ଧୁ ଅତ୍ୟନ୍ତ ଗରିବ ଶ୍ରେଣୀର ଏବଂ ଭଙ୍ଗାକୁଡ଼ିଆରେ ପରିବାରର ୪ପ୍ରାଣୀ ବହୁକଷ୍ଟରେ ଚଳୁଛନ୍ତି। ରୁକ୍ମିଣୀଙ୍କ ଦିବ୍ୟାଙ୍ଗ ପ୍ରମାଣପତ୍ର ଥିବା ସତ୍ତେ୍ୱ ସେ ଭତ୍ତା ପାଇବାରୁ ବଞ୍ôଚତ ଅଛନ୍ତି। ତେବେ ପରିବାର ସଦସ୍ୟଙ୍କୁ ସରକାରୀ ନିୟମନୁସାରେ ଜିଲ୍ଲା ପ୍ରଶାସନ ସହାୟତା ଯୋଗାଇଦେବାର ପ୍ରତିଶ୍ରୁତି ଦେଇ ଜିଲ୍ଲପାଳଙ୍କୁ ଜଣାଇବା ପରେ ମାତ୍ର ଗୋଟିଏ ଦିନ ବ୍ୟବଧାନରେ ଆଜି ରୁକ୍ମିଣୀଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ୫ମାସ ପାଇଁ ୩୫୦୦ ଟଙ୍କା ଦେଇଥିଲେ।

ଆଜି ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ ଧରୁଆ, ସମାଜ ମଙ୍ଗଳାଧିକାରୀ ପାର୍ଥଜିତ ମଣ୍ଡଳ, ପଞ୍ଚାୟତ ଅଧିକାରୀ ଜେବି ଭଟ୍ଟ ପ୍ରମୁଖ ନାଗଯୋଡ଼ି ଗାଁର ରୁକ୍ମିଣୀଙ୍କ ଘରେ ପହଞ୍ôଚ ମାର୍ଚ୍ଚ ମାସରୁ ଜୁଲାଇ ମାସ ପର୍ଯ୍ୟନ୍ତ ମୋଟ ୩୫୦୦ଟଙ୍କା ପେନସନ୍ ଅର୍ଥରାଶି ସହ ରୁକ୍ମିଣୀଙ୍କୁ ବସପାଶ୍ ମଧ୍ୟ ଦେଇଥିଲେ। ଜିଲ୍ଲାପାଳଙ୍କ ମାନବିକତା ପାଇଁ ସମସ୍ତ ସଦସ୍ୟ ତାଙ୍କ ନିକଟରେ ଚିରଋଣୀ ରହିବା ସହ କୃତଜ୍ଞତା ଜଣାଇ ତାଙ୍କର ଦୀର୍ଘଜୀବନ ଆଶୀର୍ବାଦ ଭୀକ୍ଷା କରିଥିଲେ ପରିବାର ସଦସ୍ୟମାନେ।