ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ଘଟଣା, ଭଉଣୀକୁ ମାରି ଭାଇକୁ ମେସେଜ୍

ଭୁବନେଶ୍ୱର, ଏନ୍ଏନ୍ଏସ୍: ଭାଇ.. ମୁଁ ଠିକ୍ ଅଛି। ନେଟୱାର୍କ ପ୍ରୋବ୍ଲେମ୍ ଥିଲା। ମୁଁ ମୋ ଫ୍ରେଣ୍ଡ୍ ଘରେ ଅଛି। ତା ନାଁ ସୋନାଲୀ। ଓକେ. ତୁ ବ୍ୟସ୍ତ ହନା। ୨୬ ତାରିଖ ବିଳମ୍ବିତ ରାତି ୧୨ଟା ୨୫ରେ ଝରାଫୁଲ ଫୋନ୍ରୁ ତାଙ୍କ ବାପାଙ୍କ ମୋବାଇଲକୁ ଏହି ମେସେଜ୍ ଆସିଥିଲା। ହେଲେ ଏହି ମେସେଜ୍ଟି ଝରାଫୁଲ କରିନଥିଲେ। ତାଙ୍କ ପ୍ରେମିକା ଅଭିଯୁକ୍ତ ରାକେଶ କରିଥିବା ଜଣାପଡ଼ିଛି। ଗୁରୁବାର ସନ୍ଧ୍ୟାରେ ଏୟାରଫିଲ୍ଡ ଥାନା ପୁଲିସ ଝରାଫୁଲଙ୍କ ପ୍ରେମିକ ରାକେଶ ସ୍ୱାଇଁକୁ ଧରିବା ପରେ ଘଟଣାର ରହସ୍ୟ ଧିରେ ଧିରେ ଖୋଲିବାରେ ଲାଗିଛି। ଝରାଫୁଲଙ୍କ ବେକରେ ରଶି ଦାଗ ରହିଥିଲା। ତେଣୁ ତାଙ୍କୁ କେହି ତଣ୍ଟି ଚିପି ହତ୍ୟା କରିଛି, ନା ସେ ଆତ୍ମହତ୍ୟା କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହୋଇଯିବ ବୋଲି ପୁଲିସ କହିଛି।
ସୂଚନା ଅନୁଯାୟୀ, ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଉପରୁ ପରଦା ହଟିବାରେ ଲାଗିଛି। ଅଭିଯୁକ୍ତମାନେ ରାଜଧାନୀ ଭୁବନେଶ୍ୱରରେ ଝରାଫୁଲଙ୍କୁ ହତ୍ୟା କରି ଯାଜପୁରରେ ଫିଙ୍ଗିଥିବା ସ୍ପଷ୍ଟ ହୋଇଛି। ଏୟାରଫିଲ୍ଡ ଥାନା ପୁଲିସ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଧରିବା ପରେ ଘଟଣାର ରହସ୍ୟ ଖୋଲୁଛି। ଝରାଫୁଲଙ୍କ ଶବକୁ ଧରି ସ୍କୁଟି ପଛପଟେ ଅଭିଯୁକ୍ତ ରାକେଶ ହିଁ ବସିଥିଲା ବୋଲି ପୁଲିସ କହିଛି। ସିସିଟିଭି ଫୁଟେଜ୍ରୁ ଏହା ଚିହ୍ନଟ ହେବା ପରେ ତାକୁ ଧରିବା ପାଇଁ ଯୋଜନା କରାଯାଇଥିଲା। ବହୁ ଖୋଜାଖୋଜି ପରେ ରାକେଶକୁ ପୁଲିସ ଗୁରୁବାର ସନ୍ଧ୍ୟାରେ ସୁନ୍ଦରପଦା ଅଞ୍ଚଳରୁ ଗିରଫ କରିଥିବା ଏୟାରଫିଲ୍ଡ ଥାନାଧିକାରୀ ଦୀପକ ମିଶ୍ର ସୂଚନା ଦେଇଛନ୍ତି। ରାକେଶକୁ ଧରିବା ପରେ ତାକୁ ଯାଜପୁର ପୁଲିସ ହେପାଜତକୁ ନେଇଛି। ତେବେ ରାକେଶ ସମେତ ଆହୁରି ୪ରୁ ୫ଜଣ ଏଥିରେ ସମ୍ପୃକ୍ତ ଥିବା ପୁଲିସ ସନ୍ଦେହ କରିଛି। ସେମାନଙ୍କୁ ଧରିବା ପାଇଁ ଯାଜପୁର ପୁଲିସ ରାକେଶକୁ ପଚରାଉଚରା କରୁଛି।
କମିଶନରେଟ୍ ପୁଲିସ ରାକେଶକୁ ଧରି ଯାଜପୁର ପୁଲିସକୁ ହସ୍ତାନ୍ତର କରିଛି। ଏହାପରେ ଯାଜପୁର ପୁଲିସ ରାକେଶକୁ ଘନଘନ ଜେରା କରିବା ସହ ସ୍କୁଟି ଚଳାଉଥିବା ଯୁବକ ବିଷୟରେ ପଚରାଉଚରା କରିଛନ୍ତି। ବସ୍ରୁ ଓହ୍ଲାଇ ଝରାଫୁଲ ରାକେଶଙ୍କ ପାଖକୁ ଚାଲିଯାଇଥିଲେ। ଏହାପରେ ତାଙ୍କ ସହ ଥିବାବେଳେ ଝରାଫୁଲଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାପରେ ତାଙ୍କ ଶବ ଲୁଚାଇବା ପାଇଁ ରାକେଶ ତା’ର ଜଣେ ବନ୍ଧୁ ସହ ମିଶି ଉପାୟ ଚିନ୍ତା କରିଥିଲା ପରେ ୨୭ ତାରିଖ ଭୋର୍ ୩ଟାରୁ ୪ଟା ସମୟ ଭିତରେ ସେମାନେ ଏକ ସ୍କୁଟିରେ ଝରାଫୁଲଙ୍କ ଶବକୁ ନେଇ ନିଚ୍ଛାଟିଆ ରାସ୍ତାରେ ଫିଙ୍ଗିବା ନେଇ ଯୋଜନା କରିଥିଲେ। ମହାନଦୀରେ ଫିଙ୍ଗିଲେ ଶବ ସଙ୍ଗେସଙ୍ଗେ ମିଳିଯିବ ବୋଲି ଭାବି ସେମାନେ ଯାଜପୁର ଅଭିମୁଖେ ଚାଲିଯାଇଥିଲେ। ସେଠାରେ ଜଙ୍ଗଲ ଖୋଜୁଖୋଜୁ ସକାଳ ହୋଇଯାଇଥିଲା। ଏହାପରେ ଧରାପଡ଼ିଯିବା ଭୟରେ ସେମାନେ ଯାଜପୁର ଜିଲ୍ଲା ରସୁଲପୁର ବ୍ଳକ ଅନ୍ତର୍ଗତ ରାଜେନ୍ଦ୍ରପୁର ପଞ୍ଚାୟତର ଦିଆଲଖଣ୍ଡି ଗାଁ ରାସ୍ତା କଡ଼ରେ ଝରାଫୁଲଙ୍କୁ ଫୋପାଡ଼ି ସେଠାରୁ ଭୁବନେଶ୍ୱର ଫେରି ଆସିଥିଲେ। ଏହାପରେ ଅଭିଯୁକ୍ତ ରାକେଶ ସୁନ୍ଦରପଦା ଅଞ୍ଚଳରେ ଲୁଚିଥିଲା। ପରେ ଯାଜପୁର ପୁଲିସ ସିସିଟିଭି ଫୁଟେଜ୍ ନେଇ ଝରାଫୁଲଙ୍କ ବାପାଙ୍କୁ ଦେଖାଇଥିଲେ। ସିସିଟିଭି ଫୁଟେଜ୍ରେ ସ୍କୁଟି ପଛପଟେ ବସିଥିବା ଯୁବକ ରାକେଶ ବୋଲି ଝରାଫୁଲଙ୍କ ବାପା ରମାକାନ୍ତ ଚିହ୍ନିଥିଲେ। ଏହାପରେ ଯାଜପୁର ପୁଲିସ ରାକେଶକୁ ଧରିବା ପାଇଁ କମିଶନରେଟ୍ ପୁଲିସ ସହ ଯୋଗାଯୋଗ କରିଥିଲା।
ଅନ୍ୟପକ୍ଷରେ ଝରାଫୁଲର ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ରମାକାନ୍ତ ନାୟକ ଗୁରୁବାର ମୟୁରଭଞ୍ଜ ଯଶିପୁର ଥାନାରେ ଏତଲା ଦେଇଛନ୍ତି। ଏତଲାରେ ଝରାଫୁଲଙ୍କ ବାପା ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଉଲ୍ଲେଖ କରିଥିଲେ। ଭୁବନେଶ୍ୱରର ରାକେଶ ସ୍ୱାଇଁ ନାମକ ଜଣେ ଯୁବକଙ୍କ ସହ ତାଙ୍କ ଝିଅର ପ୍ରେମ ସପର୍କ ଥିବା ସେ ଉଲ୍ଲେଖ କରିଛନ୍ତି। ଏକଥା ଜାଣିବା ପରେ ସେ ଝିଅକୁ ବହୁତ ଥର ତାଗିଦ୍ କରିଥିବା ମଧ୍ୟ କହିଛନ୍ତି। ତେଣୁ ଝରାଫୁଲର ମୃତ୍ୟୁ ପଛରେ ରାକେଶର କିଛି ଭୂମିକା ଥାଇପାରେ ବୋଲି ସେ ସନ୍ଦେହ କରୁଛନ୍ତି।
ସେହିପରି ଝରାଫୁଲଙ୍କ ବାପା ରମାକାନ୍ତ ନାୟକ ତାଙ୍କ ବନ୍ଧୁ ତଥା ଝରାଫୁଲଙ୍କ ଭୁବନେଶ୍ୱର ଅଭିଭାବକ ଚକ୍ରଧର ବେହେରାଙ୍କୁ ମିଛ କଥା କହିଥିଲେ। ଝିଅ ଘରେ ନପହଞ୍ଚି, ସେ ପହଞ୍ଚିଯାଇଥିବା କହିଥିଲେ। ଏନେଇ ସନ୍ଦେହ ସୃଷ୍ଟି ହୋଇଛି। ଚକ୍ରଧର ବେହେରା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଗତ ୨୪ତାରିଖ ସନ୍ଧ୍ୟା ୫ଟା ୪୫ରୁ ୬ଟା ମଧ୍ୟରେ ଝରାଫୁଲଙ୍କୁ ସେ ରମାଦେବୀ ବିଶ୍ୱବିଦ୍ୟାଳୟର ୨ନମ୍ବର ଗେଟ୍ରୁ ବାଇକ୍ ଯୋଗେ ତାଙ୍କ ଘରକୁ ନେଇଥିଲେ। ୨୫ତାରିଖରେ ଝରାଫୁଲ ରହିଥିଲେ। ୨୬ତାରିଖରେ ଝରାଫୁଲଙ୍କ ଗାଁରେ ପର୍ବ ହେଉଥିବା ଯୋଗୁ ତାଙ୍କ ବୋଉ ଫୋନ୍ କରି ଝିଅକୁ ପଠାଇବାକୁ କହିଥିଲେ। ଏହାପରେ ୨୬ତାରିଖ ପୂର୍ବାହ୍ଣ ୧୧ଟା ୧୫ରେ ଚକ୍ରଧର ଜୟଦେବ ବିହାର ଛକରେ ଝରାଫୁଲଙ୍କୁ ଝାଡ଼େଶ୍ୱରୀ ନାମକ ବସ୍ରେ ବସାଇଥିଲେ। ପରେ ତାଙ୍କ ବାପାଙ୍କୁ ଝିଅ ବସ୍ରେ ବସିଯାଇଥିବା ଖବର ଦେଇଥିଲେ।
୪ରୁ ୫ଘଣ୍ଟା ପରେ ଚକ୍ରଧର ଝରାଫୁଲକୁ ଫୋନ୍ କରିଥିଲେ, ହେଲେ ନମ୍ବର ଲାଗିନଥିଲା। ଏନେଇ ସେ ତାଙ୍କ ଘରକୁ ଫୋନ୍ କରିଥିଲେ। ଝିଅ ପହଞ୍ଚିବା ପରେ ଫୋନ୍ କରିଦେବେ ବୋଲି ତାଙ୍କ ବୋଉ କହିଥିଲେ। ସେହିଦିନ ସନ୍ଧ୍ୟା ୫ଟା ବେଳେ ଚକ୍ରଧର ତାଙ୍କ ବାପାଙ୍କୁ ଫୋନ୍ କରିଥିଲେ, ଝିଅ ୩ଟାରୁ ଆସି ପହଞ୍ଚିଲାଣି। ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି ତାଙ୍କ ବାପା କହିଥିଲେ। ଏହାପରେ ୨୭ତାରିଖ ପୂର୍ବାହ୍ଣ ୯ଟା ବେଳେ ଝରାଫୁଲଙ୍କ ବାପା ଚକ୍ରଧରଙ୍କୁ ଫୋନ୍ କରିଥିଲେ। ସାର୍ ଗୋଟେ ଭୁଲ୍ କହିଦେଲି, ଝିଅ କାଲିଠୁ ଘରକୁ ଫେରିନି। ଆପଣ ବ୍ୟସ୍ତ ହେବେ ବୋଲି ମିଛ କହିଦେଇଥିଲି ବୋଲି ରମାକାନ୍ତ ଚକ୍ରଧରଙ୍କୁ କହିଥିଲେ। ଏହାଶୁଣି ଚକ୍ରଧର ଥାନାରେ ଅଭିଯୋଗ କରିବା ପାଇଁ ରମାକାନ୍ତଙ୍କୁ ପରାମର୍ଶ ଦେଇଥିଲେ। କଥାବାର୍ତ୍ତାର ଏକଘଣ୍ଟା ପରେ ଝିଅର ମୃତଦେହ ମିଳିଥିବା ରମାକାନ୍ତ ଚକ୍ରଧରଙ୍କୁ ଫୋନ୍ ଯୋଗେ କହିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଗତ ବୁଧବାର ଯାଜପୁର ଜିଲ୍ଲା ରସୁଲପୁର ବ୍ଳକ ଅନ୍ତର୍ଗତ ରାଜେନ୍ଦ୍ରପୁର ପଞ୍ଚାୟତର ଦିଆଲଖଣ୍ଡି ଗାଁ ରାସ୍ତା କଡ଼ରୁ ଝରାଫୁଲଙ୍କ ମୃତଦେହ ମିଳିଥିଲା। ଝରାଫୁଲ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ ବର୍ଷର ଛାତ୍ରୀ ଅଟନ୍ତି। ତାଙ୍କ ଘର ମୟୂରଞ୍ଜ ଜିଲ୍ଲାର ଯଶିପୁର ଥାନା ଅନ୍ତର୍ଗତ ବୁନ୍ଦେଇପଶି ଗ୍ରାମରେ ଅଟେ। ବୁଧବାର ପୂର୍ବାହ୍ଣ ୯ଟା ବେଳେ ଦୁଇଜଣ ଯୁବକ ଏକ ସ୍କୁଟିରେ ଝରାଫୁଲଙ୍କୁ ବସାଇ ଆଣି ଦିଆଲଖଣ୍ଡି ଗାଁ ପାଖ ରାସ୍ତାରେ ପକାଇ ଦେଇ ଚମ୍ପଟ୍ ମାରିଥିଲେ। ଏହି ସମୟରେ ପାଖ ଜମିରେ କାମ କରୁଥିବା କେତେକ ଲୋକ ଦୁଇଜଣ ଯୁବକ କ’ଣ ଫିଙ୍ଗିଦେଇ ଗଲେ ବୋଲି ଦେଖିବାକୁ ସେଠାକୁ ଯାଇଥିଲେ। ସେଠାରେ ସେମାନେ ଏହି ଯୁବତୀଙ୍କ ମୃତଦେହ ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ଗାଁ ଲୋକେ ସଙ୍ଗେ ସଙ୍ଗେ ପୁଲିସକୁ ଫୋନ୍ କରି ଜଣାଇଥିଲେ। ପୁଲିସ ଆସିବା ପରେ ଯୁବତୀଙ୍କ ପାଖରେ ଥିବା ପରିଚୟ ପତ୍ରରୁ ତାଙ୍କ ପରିଚୟ ମିଳିଥିଲା। ମୃତଦେହ ପାଖରେ ଯୁବତୀଙ୍କ ବ୍ୟାଗ ଓ ଚପଲ ପଡ଼ିଥିଲା।