ନୂଆଦିଲ୍ଲୀ,ଏଜେନ୍ସି: ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର ଗିରଫ। ଅର୍ଥ ହେର୍ଫେର୍ ବେଆଇନ୍ ଅର୍ଥ କାରବାର ଯୋଗୁଁ ତାଙ୍କୁ ଗିରଫ କରିଛି ଇଡି। ପ୍ରଥମେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହାପରେ ଦୀର୍ଘ ୩୦ ଘଣ୍ଟା ଧରି ତାଙ୍କୁ ପଚରାଉଚରା କରାଯାଇଥିଲା। ପରେ ତାଙ୍କୁ ଆଜି ଇଡ଼ି ଗିରଫ କରିଛି। ରାଣାଙ୍କ ଘରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଇଡି ଜବତ କରିଥିବା ସୂଚନା ମିଳିଛି। ତାଙ୍କୁ ଆଜି ଦିନ ୧୧ଟାରେ କୋର୍ଟରେ ହାଜର କରାଯିବା ନେଇ ସୂଚନା ରହିଛି।
ମାର୍ଚ୍ଚ ୬ ତାରିଖ ରାତିରେ ମୁମ୍ବାଇରେ ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ସାମୁଦ୍ର ମହଲ ବାସଭବନରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଚଢ଼ାଉ କରିଥିଲା। ଟଙ୍କା ହେର୍ଫେର୍ ମାମଲାରେ କପୁର ଏବଂ ଅନ୍ୟମାନଙ୍କ ବିରୋଧରେ ଯାଞ୍ଚ କରିଥିଲା। ମନି ଲଣ୍ଡରିଂ ଆକ୍ଟ ଅଧୀନରେ, ଅଧିକ ପ୍ରମାଣ ସଂଗ୍ରହ କରିବା ଆଶାରେ ଏହି କାର୍ୟ୍ୟାନୁଷ୍ଠାନ ନିଆଯାଇଛି।
ଏକ କର୍ପୋରେଟ୍ କମ୍ପାନୀକୁ ଋଣ ଦେବାରେ ରାଣାଙ୍କ ଭୂମିକା ଉପରେ ଇଡି ଅନୁସନ୍ଧାନ କରୁଥିଲା। ଅଭିଯୋଗ ହୋଇଛି ଯେ, ଋଣ ବଦଳରେ କପୁରଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ଲାଞ୍ଚ ଟଙ୍କା ପଠାଯାଇଥିଲା। ଏହାସହ ଅନ୍ୟାନ୍ୟ ଅନିୟମିତତା ଉପରେ ମଧ୍ୟ ଇଡି ଅନୁସନ୍ଧାନ କରୁଛି।