ଜୟାଙ୍କ ଟାର୍ଗେଟରେ ରବି କିଶନ : ଯେଉଁ ଥାଳିରେ ଖାଉଛ, ସେଥିରେ ହିଁ ଛେଦ କରୁଛ

ନୂଆଦିଲ୍ଲୀ: ବଲିଉଡ଼ର ଡ୍ରଗ୍ସ ଲିଙ୍କ ନେଇ ରାଜ୍ୟସଭାରେ ଗର୍ଜିଲେ ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନ। ଜୟା ବିଜେପି ସାଂସଦ ରବି କିଶନଙ୍କ ନାମ ନନେଇ କହିଛନ୍ତି ଯେ, ଲୋକେ ବଲିଉଡକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ଏଥିରେ ଏମିତି କିଛି ଲୋକ ସମାଲି ଅଛନ୍ତି ଯେଉଁମାନେ ‘ଯେଉଁ ଥାଳିରେ ଖାଉଛନ୍ତି ସେଥିରେ ହିଁ ଛେଦ କରୁଛନ୍ତି।’

ଜୟା ବଚ୍ଚନ ଆହୁରି କହିଛନ୍ତି ଯେ, ‘ଗତକାଲି ଲୋକସଭାରେ ଜଣେ ସାଂସଦ ବଲିଉଡ ବିରୋଧରେ କହିଛନ୍ତି ଯାହାକି ଲଜ୍ଜାଜନକ। ବଲିଉଡର କିଛି ଲୋକଙ୍କ ପାଇଁ ସମସ୍ତଙ୍କୁ ବଦନାମ କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ଦେଶରେ ଯେକୌଣସି ସମସ୍ୟା ଆସିଲେ ସବୁଠୁ ଅଧିକ ବଲିଉଡ କଳାକାର ସହଯୋଗ କରିଥାନ୍ତି। ତେଣୁ ଏଭଳି ସ୍ଥିତିରେ ଇଣ୍ଡଷ୍ଟ୍ରୀକୁ ସରକାରଙ୍କ ସୁରକ୍ଷା ଓ ସମର୍ଥନର ଆବଶ୍ୟକତା ରହିଛି।’

ଅନ୍ୟପଟେ ଜୟାଙ୍କ ଟିପ୍ପଣୀର ଜବାବ ଦେବାକୁ ଯାଇ ରବି କିଶନ କହିଛନ୍ତି ଯେ, ‘ଲାଗୁଥିଲା ଜୟା ଜୀ ମୋ କଥାକୁ ସମର୍ଥନ କରିବେ। ବଲିଉଡରେ ସମସ୍ତେ ଡ୍ରଗ୍ସ ସେବନ କରୁନାହାନ୍ତି କିନ୍ତୁ ଯେଉଁମାନେ କରୁଛନ୍ତି ସେମାନେ ବିଶ୍ୱର ସର୍ବବୃହତ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ନଷ୍ଟ କରିବାକୁ ଚାହୁଁଛନ୍ତି। ତେଣୁ ଆମକୁ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ବଞ୍ଚାଇବାକୁ ପଡ଼ିବ।’

ସୂଚନାଯୋଗ୍ୟ, ଗତକାଲି ସଂସଦରେ ରବି କିଶନ କହିଥିଲେ ଯେ, ‘ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡ୍ରଗ୍ସ ନିଶା ଖୁବ୍ ଅଧିକ ରହିଛି। ଅନେକ ଯୁବ କଳାକାରଙ୍କୁ ଜାଣିଶୁଣି ଏହି ନର୍କକୁ ଠେଲି ଦିଆଯାଉଛି। ହେଲେ ଏବେ ଏନସିବି ବେଶ୍ ଭଲ କାମ କରି କିଛି ଲୋକଙ୍କୁ ଧରିବାରେ ସଫଳ ହୋଇଛି। ମୁଁ କେନ୍ଦ୍ର ସରକାରଙ୍କୁ ନିବେଦନ କରୁଛି ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୋଷୀଙ୍କୁ ତୁରନ୍ତ ଧରନ୍ତୁ। ଏଥିସହିତ ସେମାନଙ୍କୁ ଦଣ୍ଡବିଧାନ କରି ପଡ଼ୋଶୀ ରାଷ୍ଟ୍ରର ଚକ୍ରବ୍ୟୁହର ଅନ୍ତ ଘଟାନ୍ତୁ।’