ରାଜ୍ୟସ୍ତରୀୟ ମାରାଥନ ପ୍ରତିଯୋଗିତାରେ ଯବାନଙ୍କୁ ସ୍ୱର୍ଣ୍ଣପଦକ

ମାଲକାନଗିରି,ଏନ୍ଏନ୍ଏସ୍: କଟକ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ମାରାଥନ ପ୍ରତିଯୋଗିତାରେ ମାଲକାନଗିରି ଜିଲ୍ଲାର ଜଣେ ଯବାନ ସ୍ୱର୍ଣ୍ଣ ହାସଲ କରି ପୋଲିସ ବିଭାଗ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଓଡିଶା ଆର୍ମ ପୋଲିସ ଫୋର୍ସର ୧୧୫ ନମ୍ବର ଯବାନ ବୁଦୁରା ବିଶୋଇ ନାୟକ ୪୫ କିଲୋମିଟର ମାରାଥନ ଦୌଡରେ ଓଡିଶାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି।

ସେଠାରେ ତାଙ୍କୁ ସମ୍ମାନିତ କରାଯିବା ପରେ ଆଜି ସେ ମାଲକାନଗିରି ପହଁଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ମାଲକାନଗିରି ଥାନା ଭାରପ୍ରାପ୍ତ ନିରୀକ୍ଷକ ରାମ ପ୍ରସାଦ ନାଗଙ୍କ ନେତୃତ୍ୱରେ ଶତାଧିକ ପୋଲିସ କର୍ମଚାରୀ ଓ ଅଧିକାରୀମାନେ ମାଲକାନଗିରି ବସଷ୍ଟାଣ୍ଡ ଠାରୁ ଶ୍ରୀ ନାୟକଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ନେଇଥିଲେ। ସେଠାରେ ବହୁ ବରିଷ୍ଠ ଅଧିକାରୀ ତାଙ୍କର ସଫଳତା ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି।