ନୂଆଦିଲ୍ଲୀ,ଏଜେନ୍ସି: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭେଟେରାନ ବିଜେପି ନେତା ଯସୱନ୍ତ ସିଂଙ୍କ ଆଜି ଅକାଳ ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ସେ ଅସୁସ୍ଥ ହୋଇ ଜୁନ ୨୫ତାରିଖରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ହୃଦଘାତରେ ଦିଲ୍ଲୀ ଆର୍ମି ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। ସେ ରାଜ୍ୟସଭାରୁ ୫ ଥର ଓ ଲୋକସଭାରୁ ୪ ଥର ନିର୍ବାଚିତ ହୋଇଥିଲେ। ଯଶୱନ୍ତ ସିଂ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଓ ଅର୍ଥମନ୍ତ୍ରୀ ଭଳି ବହୁ ଗୁରତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳି ଥିଲେ। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ କରି କହିଛନ୍ତି ଯେ, ଯସୱନ୍ତ ସିଂ ଜଣେ ବୁଦ୍ଧିଜୀବୀ ଏବଂ ଦେଶ ପାଇଁ ତାଙ୍କର ସେବା ମନୋଭାବ ସର୍ବଦା ସ୍ମରଣ କରାଯିବ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅଟଳ ଜିଙ୍କ ସରକାର ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡିକ ପରିଚାଳନା କରିଥିଲେ ଏବଂ ଅର୍ଥ, ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାରରେ ଏକ ଦୃଢ ଚିହ୍ନ ରଖିଥିଲେ। ତାଙ୍କ ଦେହାନ୍ତରେ ଦୁଃଖିତ। ଏଥିସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଯସୱନ୍ତ ସିଂଙ୍କୁ ତାଙ୍କର ବୈଦ୍ଧିକ ଦକ୍ଷତା ତଥା ଦେଶ ପାଇଁ ସେବା ପାଇଁ ସ୍ମରଣ କରାଯିବ। ରାଜସ୍ଥାନରେ ବିଜେପିକୁ ମଜଭୁତ କରିବାରେ ସେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଦୁଃଖଦ ସମୟରେ ତାଙ୍କ ପରିବାର ଏବଂ ସମର୍ଥକଙ୍କୁ ସମବେଦନା।