ଜାପାନରେ ସାମୁଦ୍ରିକ ଝଡ, ୧୧ମୃତ

ଟୋକିଓ,ଏଜେନ୍ସି: ଜାପାନର ଟୋକିଓ ସହରରେ ସାମୁଦ୍ରିକ ଝଡ଼ ‘ହଗିବିସ୍‌’ ତାର ତାନ୍ଡବ ରଚିଛି। ଏହି ସାମୁଦ୍ରିକ ଝଡ଼ରେ ୧୧ଜଣ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ନିଖୋଜ ଅଛନ୍ତି। ସେହିପରି ଅନେକ ଲୋକ ପାଣିଘେରରେ ଅଟକି ରହିଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ରବିବାର ଦିନ ଜାପାନର ସାମରିକ ବାହିନୀ ତତ୍ପର ହୋଇଉଠିଛି।

 

ଗତକାଲି ଜାପାନରେ ସାମୁଦ୍ରିକ ତୋଫାନରେ ଭୂସ୍ଖଳ ଘଟିବା ସହ ନଦୀଗୁଡ଼ିକ କୂଳ ଲଙ୍ଘିଛନ୍ତି। ରବିବାର ସକାଳ ସୁଦ୍ଧା ଉଲ୍ଲେଖଯୋଗ୍ୟ ଭାବେ ଦୁର୍ବଳ ହୋଇପଡ଼ିଥିବା ତୋଫାନ ସ୍ଥଳଭାଗରୁ ହଟି ଯାଇଥିଲେ ବି କେନ୍ଦ୍ରୀୟ ଜାପାନର ନାଗାନୋ ଠାରେ ଭୀଷଣ ବନ୍ୟା ଆସିଛି। ଚିକୁମା ନଦୀର ବନ୍ଧ ଭାଙ୍ଗିଯାଇ ଆଖପାଖ ଜନବସତି ଅଞ୍ଚଳ ମଧ୍ୟକୁ ପାଣି ପଶିଯାଇ ଘରର ଦୁଇ ମହଲା ଯାଏଁ ପାଣିରେ ବୁଡ଼ିଯାଇଛି।

ଧ୍ୟାନ ଆକର୍ଷଣ ପାଇଁ ବାଲ୍‌କୋନିରେ ଠିଆ ହୋଇ ରୁମାଲ ହଲାଉଥିବା ଲୋକମାନଙ୍କୁ ଉଦ୍ଧାର କରିବାକୁ ଜାପାନର ସେନାବାହିନୀ ହେଲିକପ୍ଟର୍‌ ମୁତୟନ କରିଛି। ରବିବାର ସକାଳ ସୁଦ୍ଧା ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି ଏବଂ ଦୁଇଟି ବିମାନ ବନ୍ଦରରେ ଉଡ଼ାଣ ଆରମ୍ଭ କରାଯାଇଥିଲେ ବି ଅଧିକାଂଶ ବିମାନ ଚଳାଚଳ ବାତିଲ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜାପାନରେ ଆୟୋଜିତ ହେବାକୁ ଥିବା ରଗ୍‌ବି ବିଶ୍ୱ କପ୍‌ର ତୃତୀୟ ମ୍ୟାଚ୍‌ ବାତିଲ ହୋଇଛି।