ଜାହ୍ନବୀଙ୍କ ଫିଲ୍ମ ଶୁଟିଂକୁ ଅଟକାଇଲେ କୃଷକ

ହରିୟାଣା,ଏଜେନ୍ସି:ପଞ୍ଜାବ ପଟିଆଲାରେ ଚାଲିଥିବା ବଲିଉଡର ମଲ୍ଟି ଷ୍ଟାରର ଫିଲ୍ମ ‘ଗୁଡଲକ୍ ଜେରୀ’ର ଶୁଟିଂକୁ କୃଷକମାନେ ଅଟକାଇ ଦେଇଛନ୍ତି। କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଥିବା କୃଷକମାନେ ଫିଲ୍ମ ଶୁଟିଂକୁ ବିରୋଧ କରିଛନ୍ତି। ଯେତେ ଯାଏଁ ନୂଆ କୃଷି ଆଇନ ରଦ୍ଦ ହୋଇନି ସେତେବେଳେ ଯାଏଁ ପଞ୍ଜାବରେ କୌଣସି ଫିଲ୍ମ ଶୁଟିଂ କରିବାକୁ ଦିଆଯିବ ନାହିଁ ବୋଲି ସେମାନେ ଚେତାବନି ଦେଇଛନ୍ତି।

ସୂଚନା ମୁତାବକ, ଫିଲ୍ମ ‘ଗୁଡଲକ୍ ଜେରୀ’ ଶୁଟିଂ ପାଇଁ ପୁରା ଷ୍ଟାରକାଷ୍ଟ ଏବଂ କ୍ରୁ ମେମ୍ବର ପଞ୍ଜାବ ଯାଇଥିଲେ। କିନ୍ତୁ କୃଷକମାନେ ଫିଲ୍ମ ଶୁଟିଂ ଚାଲିଥିବା ଜାଣିବା ପରେ ଏହାକୁ ବିରୋଧ କରି ଅଟକାଇ ଦେଇଥିଲେ। ଫିଲ୍ମର ପୁରା ଟିମ କୃଷକମାନଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଶୁଣିନଥିଲେ। ଶୁଟିଂ ଶୀଘ୍ର ବନ୍ଦ କରିବାକୁ ପାଇଁ ସେମାନେ ଅଡି ବସିଥିଲେ। ଶେଷରେ ବାଧ୍ୟ ହୋଇ ଫିଲ୍ମର ପୁରା ଟିମ୍ ଶୁଟିଂ ସେଟ୍ ଛାଡି ହୋଟେଲକୁ ପଳାଇ ଆସିଥିଲେ। ଉକ୍ତ ଫିଲ୍ମର ଟିମରେ ଅଭିନେତ୍ରୀ ଜାହ୍ନବୀ କପୁର ମଧ୍ୟ ସାମିଲ ଥିଲେ। ହୋଟେଲକୁ ମଧ୍ୟ କୃଷକମାନେ ଆସି ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ରିପୋର୍ଟ ମୁତାବକ ଫିଲ୍ମ ‘ଗୁଡଲକ୍ ଜେରୀ’ର ଲିଡ୍ ରୋଲରେ ଅଭିନେତ୍ରୀ ଜାହ୍ନବୀ କପୁର ଅଛନ୍ତି। ଅନ୍ୟ ପ୍ରମୁଖ ଭୂମିକାରେ ଦୀପକ ଡୋବ୍ରିଆଲ, ମୀତା ବଶିଷ୍ଟ, ନିରଜ ସୁଦ ଅଛନ୍ତି। ସଲମାନ ଖାନ ମଧ୍ୟ ଏହି ଫିଲ୍ମରେ ପ୍ରମୁଖ ଭୂମିକାରେ ନଜର ଆସିବେ। ଆସନ୍ତା ସପ୍ତାହରେ ସେ ଫିଲ୍ମ ଶୁଟିଂ ପାଇଁ ପଟିଆଲା ଯାଇଥାନ୍ତେ।