ଖେଳାଳୀଙ୍କୁ ଅପଶବ୍ଦ କହି ଗୋଟିଏ ମ୍ୟାଚରୁ ବାହାର ହେଲେ ଜାମ୍ପା

ମେଲବର୍ଣ୍ଣ, ଏଜେନ୍ସି: ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ୍) ଅବସରରେ ଅପଶବ୍ଦ ବ୍ୟବହାର କରିଥିବା ଅଭିଯୋଗରେ ଅଷ୍ଟ୍ରେଲୀୟ ଲେଗ୍ ସ୍ପିନର୍ ଆଦାମ୍ ଜାମ୍ପାଙ୍କୁ ଗୋଟିଏ ମ୍ୟାଚ୍ରୁ ବ୍ୟାନ୍ କରାଯାଇଛି। ଡିସେମ୍ବର ୨୯ ତାରିଖରେ ଖେଳାଯାଇଥିବା ସିଡନୀ ଥଣ୍ଡର ବିପକ୍ଷ ମ୍ୟାଚରେ ମେଲବର୍ଣ୍ଣ ଷ୍ଟାର୍ସ ଖେଳାଳି ଜାମ୍ପା ଏହି ଅପଶବ୍ଦ ବ୍ୟବହାର କରିଥିବା କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଜାମ୍ପା ସ୍ୱୀକାର କରିଛନ୍ତି। ଫଳରେ ଗୋଟିଏ ବ୍ୟାନ୍ ସହ ତାଙ୍କ ଖାତାରେ ଗୋଟିଏ ସସପେନସନ ପଏଣ୍ଟ ଯୋଡ଼ି ହୋଇଥିବା ବେଳେ ତାଙ୍କୁ ୨୫୦୦ ଡଲାର ଜୋରିମାନା ମଧ୍ୟ କରାଯାଇଛି। ଥଣ୍ଡର ଇନିଂସ୍ ର୧୬ତମ ଓଭର୍ରେ ଜାମ୍ପାଙ୍କ ଏକ ବଲକୁ କଟ୍ କରି କାଲମ ଫର୍ଗୁସନ୍ ଏକ ରନ୍ ପାଇଁ ଦୌଡ଼ୁଥିବା ବେଳେ ଜାମ୍ପା ତାଙ୍କ ପ୍ରତି ଅପଶବ୍ଦ କହିଥିଲେ, ଯାହା ଷ୍ଟମ୍ପସ ମାଇକରେ କଏଦ ହୋଇଯାଇଥିଲା। ୨୮ ବର୍ଷୀୟ ଜାମ୍ପିଅନ୍ ବିବିଏଲରେ ବର୍ତ୍ତମାନ ସୁଦ୍ଧା ୭ଟି ୱିକେଟ୍ ନେଇଛନ୍ତି।