ଜଳବନ୍ଦୀ ଜୀବନ ଜିଉଁଛନ୍ତି ପୋଡାପଦର ପଞ୍ଚାୟତବାସୀ

ଭବାନୀପାଟଣା,ଏନ୍ଏନ୍ଏସ୍: ଦିନ ଥିଲା କଳାହାଣ୍ଡି ଏକ ମରୁଡି ଓ ପଛୁଆ ଜିଲ୍ଲା ଭାବରେ ସମଗ୍ର ଭାରତବର୍ଷରେ ପରିଚିତ ଥିଲା କିନ୍ତୁ ଆଜି ତାର ରୂପରେଖ ସମ୍ପୂର୍ଣ୍ଣ ବଦଳି ଯାଇଛି। ଲୋକଙ୍କ ବଞ୍ଚିବାର ମାନଦଣ୍ଡ ବଦଳିଛି ବଦଳିଛି ଭୌଗଳିକ ଚିତ୍ର। ଏହାର ସମସ୍ତ ଶ୍ରେୟ ଯାଉଛି ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଉପରେ। ବିଦ୍ୟୁତ ଉତ୍ପାଦନ ସହ ଜଳସେଚନର ବ୍ୟବସ୍ଥା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ଏକ ସବୁଜ ବୀପ୍ଳବ ସୃଷ୍ଟି ହେଲା। ଏହି ପ୍ରକଳ୍ପ ପାଇଁ ଥୁଆମୂଳ ରାମପୁର ବ୍ଲକର ଅନେକ ଅଞ୍ଚଳ ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଲୀନ ହୋଇଗଲା। ଅନେକ ଲୋକ ନିଜ ଚାଷଜମି, ଘରଦ୍ଵାର ଭଳି ଭୂସମ୍ପତ୍ତି ହରାଇ ବିସ୍ଥାପିତ ହୋଇଥିଲେ।

ଶାଗମାଛ ମୁଲ୍ୟରେ ଏମାନଙ୍କ ସମ୍ପତ୍ତିର ମୂଲ୍ୟାୟନ କରି ବଞ୍ଚିବା ପାଇଁ ସହାୟତା ରାଶି ବଣ୍ଟନ ବ୍ୟବସ୍ଥାରେ ମଧ୍ୟ ପ୍ରତାରଣା କରାଯାଇଥିବା ଅଭିଯୋଗ କରିଛନ୍ତି ବିସ୍ଥାପିତ ଲୋକେ।କିନ୍ତୁ ବିସ୍ତିର୍ଣ୍ଣ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଏବେବି ପୋଡାପଦର ଗ୍ରାମ ପଞ୍ଚାୟତର ୧୬ ଖଣ୍ଡ ତିନୋଟି ରାଜସ୍ବ ଗ୍ରାମ ଓ ୧୩ ଖଣ୍ଡ ଉପଗ୍ରାମ ଓ ମାଳିଗାଁ ପଞ୍ଚାୟତର ଗୋଟିଏ ମାତ୍ର ଗାଁ ଇନ୍ଦ୍ରାବତୀ ଜଳଭଣ୍ଡାର ଯୋଗୁଁ ଜଳବନ୍ଦୀ ଜୀବନ ଜିଉଁଛନ୍ତି ୧୭ ଖଣ୍ଡ ଛୋଟବଡ ଗାଁରେ ବସବାସ କରୁଥିବା ନିରୀହ ଆଦିବାସୀ।

ପ୍ରାୟ ୪୦୦ ପରିବାର ବସବାସ କରୁଥିବା ପୋଡାପଦର ଗ୍ରାମ ପଞ୍ଚାୟତରେ ରହିଛି ପୋଡାପଦର ସମେତ ଘୁଟୃଖାଲ, ତେନ୍ତୁଳିପଦର, କାରୁବାଡି, ଲିଟିମସ୍କା, ଭିତରଡୁଙ୍ଗା, ସରାପାସ, ଟେମରା , ଝିରି,ଭୁରଭୁରି,ତଳ ଟେମରା,ଢେପ ଟେମରା,ତଳ ଗୁଞ୍ଜମାଳି,ଉପର ଗୁଞ୍ଜମାଳି, କଲାଟି,ତଳପୁଙ୍ଗା,କୁଟୃପାଟ ଏବଂ ମାଳିଗାଁ ଗ୍ରାମ ପଞ୍ଚାୟତର କେ ଚେପଟାଘାଟ।

ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟ ଠାରୁ ପ୍ରାୟ ୬୦ କି:ମି ଦୂରରେ ଥିବା ଏହି ଅଞ୍ଚଳକୁ ଗମନାଗମନ ପାଇଁ କୌଣସି ବ୍ୟବସ୍ଥା ନାହିଁ ଫଳରେ ସେଠିକାର୍ ଲୋକେ ଇନ୍ଦ୍ରାବତୀ ଜଳଭଣ୍ଡାରର ଅକାତକାତ ଜଳରାଶି ମଧ୍ୟରେ ବିପଦଶଙ୍କୁଳ ଦେଶୀ କାଠଡଙ୍ଗା ସାହାଯ୍ୟରେ ନିତ୍ୟ ବ୍ୟବହାର୍ୟ୍ୟ ଜିନିଷ ପତ୍ର ପାଇଁ ପ୍ରାୟ ୨୦ କି:ମି ଜଳପଥରେ ଯାତାୟତ କରି ଫେରିଥାଆନ୍ତି।ଏପରି ସ୍ଥଳେ ଅତୀତରେ ଅନେକ ଜୀବନହାନି ଘଟିଥିବା ଅଭିଯୋଗ କରିଛନ୍ତି ଇନ୍ଦ୍ରାବତୀ ଜଳବନ୍ଦୀ ଲୋକେ।ଯୋଜନା କହିଲେ ସେମାନଙ୍କୁ କିଛି ଜଣାନଥିବା କହନ୍ତି ଏଠିକାର ଜଳବନ୍ଦୀ ଜୀବନଯାପନ କରୁଥିବା ଅସହାୟ ଅଧିବାସୀ।ଶିକ୍ଷା ସ୍ବାସ୍ଥ୍ୟ ଓ ଗମନାଗମନ ଭଳି ମୌଳିକ ସୁବିଧା ଏମାନଙ୍କ ପାଇଁ ସାତସପନ ପାଲଟିଛି।

କାମଧନ୍ଦା କି ରୋଜଗାର କୌଣସି ବ୍ୟବସ୍ଥା ନଥିବା ବେଳେ ଟଙ୍କିକିଆ ଚାଉଳ ପାଇବା ପାଇଁ ମଧ୍ୟ ଧଙ୍କାଟିଏ ମଧ୍ୟ ଏମାନଙ୍କୁ ମିଳିବା କଷ୍ଟ ହୋଇଥାଏ।ଜଙ୍ଗଲ ଜାତୀୟ କନ୍ଦା ମୂଳ ସଂଗ୍ରହ କରି ନିଜ ପେଟ ପୁରଣ କରିବାକୁ ବାଧ୍ୟ ହୁଅନ୍ତି।ପୋଡୁଚାଷ ମାଧ୍ୟମରେ ବର୍ଷ ତମାମ ପରିଶ୍ରମ କରି ମାଣ୍ଡିଆ, କୋଶଳା ,କାଙ୍ଗୁ ଭଳି ଚାଷକରି ପରିବାର ପାଇଁ ନିତ୍ୟ ବ୍ୟବହାର୍ୟ୍ୟ ଜିନିଷପତ୍ର ଆଣି ଗୁଜୁରାଣ ମେଣ୍ଟାଇ ଥାଆନ୍ତି ଏଠିକାର ସରଳ ଆଦିବାସୀ ଲୋକେ।ଅପହଞ୍ଚ ସ୍ବାସ୍ଥ୍ୟ ସେବା ଯୋଗୁଁ ରୋଗୀ ହେଉ ଅବା ଗର୍ଭବତୀ ମହିଳା ଅନେକ ସମୟରେ ମୃତ୍ୟୁକୁ ଅପେକ୍ଷା କରିବାକୁ ପଡିଥାଏ।ଯେଉଁଠି ମଣିଷ ଚାଲିବା ପାଇଁ ରାସ୍ତା ଖଣ୍ଡେ ନଥିବା ବେଳେ ଅମ୍ବୁଲେନ୍ସ ସେବା କିଭଳି ସମ୍ଭବ ତାହା ଅନୁମେୟ।

୧୧ ଗୋଟି ଓ୍ବାର୍ଡ ରେ ଗଠିତ ଏହି ନୁତନ ଗ୍ରାମ ପଞ୍ଚାୟତରେ ଆଜିକୁ ନିର୍ବାଚନର ତିନିବର୍ଷ ବିତିଯାଇଥିଲେ ମଧ୍ୟ ପଞ୍ଚାୟତକୁ ଆସୁଥିବା ଉନ୍ନୟନ ମୂଳକ କାର୍ୟ୍ୟ ଅଧିକାଂଶ ଗାଁରେ ଅଦୃଶ୍ୟ।ପଞ୍ଚାୟତର ବିକାଶ ପାଇଁ ଆସୁଥିବା ଅନୁଦାନ ରାଶି କେଉଁ କାର୍ୟ୍ୟ ପାଇଁ ଖର୍ଚ୍ଚ ହୋଇଛି ?

ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।ପୁଷ୍ଟିକର ଖାଦ୍ୟ ଅଭାବରେ ଅନେକ ଛୋଟଛୋଟ ଛୁଆ ଅପପୁଷ୍ଟିର ଶିକାର ହୋଇଛନ୍ତି, ଅଞ୍ଚଳକୁ କୌଣସି ବିଭାଗୀୟ ଅଧିକାରୀ ନିଜ ଦାୟିତ୍ୱ ତୁଲାଇବାରେ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ନିର୍ବାଚନ ସମୟରେ ନେତାମାନେ ଆସି ଭୋଟ ଭିକ୍ଷା କରିଥାଆନ୍ତି କିନ୍ତୁ ନିର୍ବାଚନ ପରେ ସେମାନଙ୍କ ଦେଖା ମିଳୁନଥିବା କହନ୍ତି ଏଠିକାର ଲୋକେ।ତେବେ ସମସ୍ୟାରେ ଜର୍ଜରିତ ଏହି ଅଞ୍ଚଳ ପାଇଁ ଗମନାଗମନର ବ୍ୟବସ୍ଥା କରାଗଲେ ଅଞ୍ଚଳରେ ବିକାଶ ସମ୍ଭବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।